ଜନଜୀବନ ଅସ୍ତବ୍ୟସ୍ତ; ଦିନକୁ ଟପି ଯାଉଛି ରାତି

୨୪ ଯାଏଁ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର, ୨୧/୦୫: ଜଳୁଛି ଝାରସୁଗୁଡ଼ା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ତାପମାତ୍ରା ଯେତିକି ବଢ଼ୁଛି, ତା’ଠୁ ବଳି ଯାଉଛି ରାତିର ଗୁଳୁଗୁଳି। ଏହା ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇଯାଇଛି। ଦିନ ସହ ରାତିରେ ବି ଅସହ୍ୟ ଗରମ ହେବାରୁ ଲୋକଙ୍କ ଜୀବନ ବହୁତ କଷ୍ଟକର ହୋଇପଡ଼ିଛି। ସାଧାରଣ କାମ ବନ୍ଦ ହୋଇଯାଇଛି ଏବଂ ଲୋକେ ଯଥାସମ୍ଭବ ଘର ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି।

ପୂର୍ବରୁ ମଧ୍ୟ ଓଡ଼ିଶାରେ ସେ ମାସରେ ଏଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ରେକର୍ଡ଼ କରାଯାଇଛି। ୨୮ ମଇ ୧୯୯୮ରେ ୪୮°C, ୨୪ ମଇ ୧୯୯୮ରେ ୪୭.୬°C, ୨୦ ମଇ ୧୯୭୮ରେ ୪୭.୫°C, ୩୧ ମଇ ୨୦୨୪ରେ ୪୭°C ତାପମାତ୍ରା ରେକର୍ଡ଼ ହୋଇଥିଲା। ଏହି ବର୍ଷ ମଧ୍ୟ ଗରମ ଅତ୍ୟଧିକ ରହିଛି। ଗତ କାଲି ଝାରସୁଗୁଡ଼ାରେ ୪୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି।

ଭାରତ ପାଣିପାଗ ବିଭାଗ (IMD) କହିଛି ଯେ ୨୪ ମେ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଓ ଗୁଳୁଗୁଳିରୁ କୌଣସି ନିସ୍ତାର ମିଳିବ ନାହିଁ। ଗୁରୁବାରଠାରୁ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି। ସମ୍ବଲପୁର, ବଲାଙ୍ଗୀର ଏବଂ ସୁନ୍ଦରଗଡ଼ରେ ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ରହିବ।

ଉପକୂଳ ଅଞ୍ଚଳରେ ଦିନର ତାପମାତ୍ରା ତୁଳନାତ୍ମକ ଭାବେ କମ୍ (୩୬-୩୮°C) ଥିଲେ ମଧ୍ୟ, ଆର୍ଦ୍ରତା ୭୦% ରୁ ଅଧିକ ଥିବାରୁ ଗରମ ୫୦°C ପରି ଅନୁଭବ ହେଉଛି। ଫଳରେ ଦିନ ଓ ରାତିରେ ଅସହ୍ୟ ତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଲୋକେ।

ଏହି ସମୟରେ ରାଜ୍ୟ ସରକାର ଲୋକଙ୍କୁ ଏହି ସତର୍କତା ଦେଇଛନ୍ତି‌। ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ଏଡ଼ାଇବା। ପ୍ରଚୁର ପାଣି ଏବଂ ତରଳ ପଦାର୍ଥ ପିଇବା। ଛୋଟ ପିଲା, ବୟସ୍କ ଲୋକ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପ୍ରତି ବିଶେଷ ଯତ୍ନ ନେବା ପାଇଁ ସତର୍କତା ଜାରି କରାଯାଇଛି।