ବିଶ୍ୱ ଦରବାରରେ ଝଲସିଲା ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ: ନରୱେ ରାଜାଙ୍କୁ ରୁପା ତାରକସି ସେଲ୍ବୋଟ ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନରୱେ ମହାରାଣୀଙ୍କୁ ପଟ୍ଟଚିତ୍ର ଉପହାର
ନୂଆଦିଲ୍ଲୀ, ୨୧/୦୫: ଓଡ଼ିଶାର ପାରମ୍ପରିକ କଳା ଓ କାରିଗରୀ ଦକ୍ଷତା ଆଉ ଥରେ ବିଶ୍ୱ ମଞ୍ଚରେ ଝଲସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନରୱେ ଗସ୍ତ ସମୟରେ ଓଡ଼ିଶାର ପାରମ୍ପରିକ କାରୁକାର୍ଯ୍ୟକୁ ବିଶ୍ୱର ଏକ ପ୍ରମୁଖ ରାଜପରିବାରଙ୍କ ପାଖରେ ଉପସ୍ଥାପନ କରାଯାଇଛି। ଏହା ଓଡ଼ିଶାର କଳାକୃତି ଏବଂ କାରିଗରମାନଙ୍କ ପାଇଁ ଏକ ବଡ଼ ଗୌରବର ମୁହୂର୍ତ୍ତ ହୋଇ ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ନରୱେର ରାଜା ହାରାଲ୍ଡ ଭି’ଙ୍କୁ ଏକ ସୁନ୍ଦର ରୂପା ତାରକସି ସେଲ୍ବୋଟ୍ ଉପହାର ଦେଇଛନ୍ତି। ତାରକସି କାରିଗରୀ ଓଡ଼ିଶାର ଏକ ପାରମ୍ପରିକ ଧାତୁ କାରୁକାର୍ଯ୍ୟ ଯେଉଁଥିରେ ରୂପା ତାରକୁ ସୂକ୍ଷ୍ମ ଭାବେ ବୁଣା ହୋଇ ଅନନ୍ୟ ଡିଜାଇନ୍ ସୃଷ୍ଟି କରାଯାଏ। ଏହି ସେଲ୍ବୋଟ୍ କେବଳ ଏକ ଉପହାର ନୁହେଁ ବରଂ ଭାରତ ଏବଂ ନରୱେ ମଧ୍ୟରେ ଥିବା ସମୃଦ୍ଧ ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କର ପ୍ରତୀକ ହୋଇଛି। ନରୱେ ଏକ ସାମୁଦ୍ରିକ ଦେଶ ହୋଇଥିବାରୁ ସେଲ୍ବୋଟ୍ ଉପହାର ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ନରୱେର ମହାରାଣୀ ସୋଞ୍ଜାଙ୍କୁ ଓଡ଼ିଶାର ପ୍ରସିଦ୍ଧ ତାଳପତ୍ର ପଟ୍ଟଚିତ୍ର ଉପହାର ଦେଇଛନ୍ତି। ପଟ୍ଟଚିତ୍ର ହେଉଛି ଓଡ଼ିଶାର ଏକ ପ୍ରାଚୀନ ଓ ବିଶ୍ୱପ୍ରସିଦ୍ଧ ଲୋକକଳା। ତାଳପତ୍ର ଉପରେ ପ୍ରାକୃତିକ ରଙ୍ଗ ଓ ସୂକ୍ଷ୍ମ ବ୍ରଶରେ ରାମାୟଣ, ମହାଭାରତ, ଜଗନ୍ନାଥ ସଂସ୍କୃତି ଏବଂ ବିଭିନ୍ନ ପୌରାଣିକ କାହାଣୀ ଅଙ୍କିତ କରାଯାଏ। ଏହି କଳା ପିଢ଼ି ପରେ ପିଢ଼ି ଧରି ଓଡ଼ିଶାର ପୁରୀ, ରଘୁରାଜପୁର ଏବଂ ଆଖପାଖରେ ସଂରକ୍ଷିତ ରହିଆସିଛି।
ଏହି ପଟ୍ଟଚିତ୍ର ଉପହାର ମାଧ୍ୟମରେ ଓଡ଼ିଶାର କଳାକୃତି ଇଉରୋପୀୟ ରାଜପରିବାରଙ୍କ ପାଖରେ ପହଞ୍ଚିଛି, ଯାହା ଓଡ଼ିଆ କାରିଗରମାନଙ୍କ ପାଇଁ ଏକ ଗର୍ବର ବିଷୟ।