ପ୍ରଧାନମନ୍ତ୍ରୀଙ୍କ କନଭୟ ରୁଟରେ ବିସ୍ଫୋରକ ସାମଗ୍ରୀ ଠାବ

୬ ପୋଲିସ କର୍ମଚାରୀ ସସପେଣ୍ଡ

ବେଙ୍ଗାଲୁରୁ, ୨୫/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ମାସର ଆରମ୍ଭରେ ବେଙ୍ଗାଲୁରୁ ଗସ୍ତ ସମୟରେ ତାଙ୍କ କନଭୟ ରୁଟରେ ଜିଲାଟିନ୍ ଷ୍ଟିକ୍ ଉଦ୍ଧାର ଘଟଣାରେ ଛଅ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ବେଙ୍ଗାଲୁରୁ ଦକ୍ଷିଣ (ରାମନଗର) ପୋଲିସ ଅଧୀକ୍ଷକ ଏହି ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମେ ୧୦ ଗସ୍ତ ସମୟରେ ସମ୍ଭାବ୍ୟ ସୁରକ୍ଷା ତ୍ରୁଟିକୁ ନେଇ ଚିନ୍ତା ସୃଷ୍ଟି କରିଛି।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ନିୟମିତ ସୁରକ୍ଷା ଯାଞ୍ଚ ଅଭିଯାନ ସମୟରେ ଜିଲାଟିନ୍ ଷ୍ଟିକ୍ ମିଳିଥିଲା। ବେଙ୍ଗାଲୁରୁର ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ (ସେଣ୍ଟ୍ରାଲ ରେଞ୍ଜ) କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେଉଁ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥାନକୁ ଯିବାକୁ ସ୍ଥିର କରିଥିଲେ, ସେଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ବେଙ୍ଗାଲୁରୁର ଉପକଣ୍ଠରେ ଏକ ଫୁଟପାଥ ପାଖରେ ଦୁଇଟି ଜିଲାଟିନ୍ ଷ୍ଟିକ୍ ପଡ଼ିଥିବା ମିଳିଥିଲା।

ସୁରକ୍ଷା ବ୍ୟବସ୍ଥା ତ୍ରୁଟି ଯୋଗୁଁ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ଛଅ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କନଭୟ ରୁଟ୍ ରେ ପୋଲିସ ଏହି ବିସ୍ଫୋରକ ସାମଗ୍ରୀ କିପରି ସେଠାରେ ପହଞ୍ଚିଲା, କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇବା ପାଇଁ କୌଣସି ଜାଣିଶୁଣି ଷଡ଼ଯନ୍ତ୍ର ଥିଲା କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ବିସ୍ତୃତ ତଦନ୍ତ ଆରମ୍ଭ କରିଛି।