ଭୁବନେଶ୍ୱର, ୧୧/୦୬: ଭୁବନେଶ୍ୱରରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିବାର ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ଖାଲି ଯାତ୍ରୀବାହୀ ଟ୍ରେନ୍ ଆସୁଥିବା ବେଳେ ମଞ୍ଚେଶ୍ୱର ଦିଗରୁ ଯାଉଥିବା ଏକ ଟ୍ରେନ୍ ସହ ଧକ୍କା ହୋଇଛି। ଉଭୟ ଟ୍ରେନ ଗୋଟିଏ ଟ୍ରାକରେ ଯିବା ସମୟରେ ଧକ୍କା ହୋଇଛି। ଝାରପଡ଼ା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ଭୁବନେଶ୍ୱର ପଟୁ ଆସୁଥିବା ଟ୍ରେନଟି ସଫେଇ ପାଇଁ ଯାଉଥିଲା। ଏଥିରେ କୌଣସି ଯାତ୍ରୀ ନଥିଲେ। ମଞ୍ଚେଶ୍ୱର ପଟୁ ଯାଉଥିବା ଟ୍ରେନର ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। କିନ୍ତୁ କ୍ଷୟକ୍ଷତି ନେଇ ବିଶେଷ ସୂଚନା ମିଳିନାହିଁ। ଦୁଇ ଟ୍ରେନର ଲୋକୋ ପାଇଲଟ ସୁରକ୍ଷିତ ଅଛନ୍ତି। ଅଧିକ ତଦନ୍ତ ଆରମ୍ଭ ହୋଇଛି।
ତେବେ ରେଳ ବିଭାଗ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଯିବା ପାଇଁ ସିଗନାଲ ଦେଲା କେମିତି, ସେ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରେଳ ବିଭାଗର ଖାମଖିଆଲି ମନୋଭାବ ନେଇ ଅସନ୍ତୋଷ ପ୍ରକାଶ ପାଇଛି।