ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଜନ୍ମମାଟିରେ ଜନ୍ମଦିନ ପାଳନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୦/୦୬: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଜନ୍ମମାଟିରେ ଜନ୍ମଦିନ ପାଳନ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ପାଳନ ହେବ ଜନ୍ମଦିନ।

ସୂଚନାଯୋଗ୍ୟ, ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି। ରାଇରଙ୍ଗପୁରରେ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଦେଶବାସୀଙ୍କୁ ୭୩୨ କୋଟିର ବିଭିନ୍ନ ରେଳ ପ୍ରକଳ୍ପ ସମର୍ପଣ କରିବେ। ହିନ୍ଦୋଳ ରୋଡ୍-ମେରାମଣ୍ଡଳୀ ମଲ୍ଟିଟ୍ରାକିଂ ପ୍ରକଳ୍ପର ହେବ ଲୋକାର୍ପଣ। ଓଡ଼ିଶାର ରେଳ ଭିତ୍ତିଭୂମିର ମେରୁଦଣ୍ଡକୁ ଆହୁରି ମଜଭୁତ୍ କରିବ ପ୍ରକଳ୍ପ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ମୋଦିଙ୍କ ସହ ପାହାଡ଼ପୁର ଯିବେ ରାଷ୍ଟ୍ରପତି। ସେଠାରେ ୪୭ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏକ୍ସରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, “ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସାହସ, ସରଳତା, ବିନମ୍ରତା ଏବଂ ଜନସେବା ପ୍ରତି ଅଟଳ ପ୍ରତିବଦ୍ଧତା ଦ୍ୱାରା ଚିହ୍ନିତ ତାଙ୍କର ଯାତ୍ରା ସାରା ଦେଶକୁ ପ୍ରେରଣା ଦେଇ ଚାଲିଛି। ସେ ତାଙ୍କ ଜୀବନରେ ବହୁ ବର୍ଷ ଧରି ଦେଶ ସେବା କରିଛନ୍ତି, ବିଶେଷକରି ଅବହେଳିତ ଏବଂ ନିଷ୍ପେସିତ ଲୋକଙ୍କ କଲ୍ୟାଣ ପାଇଁ। ଭାରତର ବିକାଶ ପ୍ରତି ତାଙ୍କର ଦୃଢ଼ ସମର୍ପଣ ବହୁତ ପ୍ରେରଣାଦାୟକ। ଜାତି ସେବାରେ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ଆଶୀର୍ବାଦ ମିଳୁ। ଆଜି ଓଡ଼ିଶାରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଭେଟିବାକୁ ମୁଁ ଅପେକ୍ଷା କରିଛି।”