ଚାପରେ କିମ୍ୱା ପ୍ରଲୋଭନରେ ଧର୍ମ ପରିବର୍ତ୍ତନକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାପରେ, ଧୋକା ଦେଇ କିମ୍ୱା ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନକୁ ସୁପ୍ରିମକୋର୍ଟ ଏକ ଗୁରୁତର ବିଷୟ ବୋଲି କହିଛନ୍ତି । କୋର୍ଟ କହିଛନ୍ତି, ଏହା କେବଳ ଧାର୍ମିକ ସ୍ୱାଧୀନତାର ଅଧିକାର ବିରୋଧରେ ନୁହେଁ ବରଂ ଦେଶର ସୁରକ୍ଷା ପାଇଁ ମଧ୍ୟ ବିପଦ । ବେଆଇନ ଧର୍ମ ପରିବର୍ତ୍ତନ ବିରୋଧରେ ଆଇନ ଦାବି ଉପରେ ନଭେମ୍ୱର ୨୨ ସୁଦ୍ଧା ଜବାବ ଦାଖଲ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ନଭେମ୍ୱର ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସେପ୍ଟେମ୍ୱର ୨୩ରେ ଜଷ୍ଟିସ ଏମ.ଆର.ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ବେଆଇନ ଭାବେ ଧର୍ମାନ୍ତରଣ ବିରୋଧରେ କଡା ଆଇନ ଆଣିବା ଦାବି ଉପରେ ନୋଟିସ ଜାରି କରିଥିଲେ । ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ବେଆଇନ ଧର୍ମାନ୍ତରଣ ବିରୋଧର କଠୋର ଆଇନ ଦାବି କରିଥିଲେ । ନିଜ ଆବେଦନରେ ସେ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ଲାବଣ୍ୟାଙ୍କ ସହ ଅନ୍ୟ ଘଟଣାର ଉଦାହରଣ ଦେଇଥିଲେ।

ତାମିଲନାଡୁ ତଞ୍ଜାବୁର ଜିଲ୍ଲାର ୧୭ ବର୍ଷୀୟ ଛାତ୍ରୀ ଲାବଣ୍ୟା ଚଳିତ ବର୍ଷ ଜାନୁଆରୀ ୧୯ରେ କିଟନାଶକ ପିଇ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ଲାବଣ୍ୟା କହିଥିଲେ ଯେ ତାଙ୍କ ସ୍କୁଲ ତାଙ୍କୁ ଇସାଇ ହେବାକୁ ଚାପ ପକାଉଛି । ଏଥିପାଇଁ ତାଙ୍କୁ ଲଗାତାର ନିର୍ଯାତନା ଦିଆଯାଉଛି । ଏହାକୁ ସହି ନପାରି ଆତ୍ମହତ୍ୟା କରୁଥିବା ଲାବଣ୍ୟା କହିଥିଲେ । ମାଦ୍ରାସ ହୋଇକୋର୍ଟ ସିବିଆଇକୁ ଦେଇଥିଲେ ମାମଲାର ତଦନ୍ତ ଦାୟିତ୍ୱ । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟକୁ ଠିକ ଦର୍ଶାଇଥିଲେ।