ସୁଧୁରିବ କି’ ଚୀନ-ଆମେରିକା ମଧ୍ୟରେ ବିଗିଡ଼ିଥିବା ସମ୍ପର୍କ ?

ନୂଆଦିଲ୍ଲୀ, ୧୪/୧୧: ଇଣ୍ଡୋନେସିଆ ରାଜଧାନୀ ବାଲିରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ପହଞ୍ଚିଛନ୍ତି  ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ । ତେବେ ବୈଠକ ପୂର୍ବରୁ ଜୋ ବାଇଡେନ୍ ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ବୈଠକ ହୋଇଛି। ଉଭୟ ଦେଶ ମଧ୍ୟରେ ଉପୁଜିଥିବା ତିକ୍ତତା ମଧ୍ୟରେ ଦୁଇ ଦେଶଙ୍କ ସାକ୍ଷାତ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ସେପଟେ ଚୀନ୍ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର ପରେ ଜୋ ବାଇଡେନ କହିଛନ୍ତି ଯେ, ଜିନ୍‌ପିଙ୍ଗ୍ ଏବଂ ତାଙ୍କ ଉପରେ ଏହି ଦାୟିତ୍ବ ରହିଛି ଯେ କିପରି ଆମେରିକା ଏବଂ ଚୀନ୍ ମଧ୍ୟରେ ଥିବା ମତଭେଦ ଉପରେ କାବୁ ପାଇପାରିବେ। ସେହିଭଳି ଚୀନ୍ ରାଷ୍ଟ୍ରପତି କହିଛନ୍ତି ଯେ, ସେ ବାଇଡେନଙ୍କ ସହ ବିଚାର ଆଦାନ ପ୍ରଦାନ ପାଇଁ ପ୍ରସ୍ତୁତ, ଯାହାର ଉଦ୍ଦେଶ୍ୟ ଆମେରିକା-ଚୀନ ସମ୍ବନ୍ଧକୁ ସୁଧାରିବା।

ସୂଚନାଯୋଗ୍ୟ, ତାଇଓ୍ବାନକୁ ନେଇ ଚୀନ ଏବଂ ଆମେରିକା ମଧ୍ୟରେ ଲଗାତାର ସମ୍ପର୍କ ତିକ୍ତ ହୋଇଆସୁଛି। ଆମେରିକାର ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଯାତ୍ରାକୁ ନାପସନ୍ଦ କରିଥିଲା ଚୀନ। ଚୀନ ଆମେରିକାକୁ ଏହାର ପରିଣାମ ଭୋଗିବା ନେଇ ଚେତାବନୀ ମଧ୍ୟ ଦେଇଥିଲା। କେବଳ ସେତିକି ନୁହେଁ ଏହି ଘଟଣାକ୍ରମ ପରେ ସେ ତାଇଓ୍ବାନ ଉପରେ ରଣନୀତିକ ଚାପ ପକାଇଥିଲା। ଏମିତିରେ ଜି-୨୦ ସମ୍ମିଳନୀ ପୂର୍ବରୁ ଚୀନ୍ ଏବଂ ଆମେରିକାର ରାଷ୍ଟ୍ରମୁଖ୍ୟଙ୍କ ଭେଟ ଉଭୟ ଦେଶର ସମ୍ପର୍କରେ କ’ଣ ନୂଆ ରଙ୍ଗ ଆଣୁଛି ତାହା ଦେଖିବା ବାକି ରହିଲା।