ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ‘ମନ କି ବାତ’

ଦେଶବାସୀଙ୍କ ସହଯୋଗକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ, ୨୮/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୨୮ ଜୁନ ୨୦୨୬ରେ ‘ମନ କି ବାତ’ର ୧୩୫ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏହି ଅଭିଭାଷଣରେ ସେ ଆତ୍ମନିର୍ଭର ଭାରତ, ପ୍ରତିରକ୍ଷା କ୍ଷେତ୍ର, ବିମାନ ନିର୍ମାଣ, ନାଗରିକଙ୍କ ସହଯୋଗ ଏବଂ ସାମାଜିକ ଦାୟିତ୍ୱ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଆତ୍ମନିର୍ଭରତା ଦିଗରେ ଦ୍ରୁତ ଗତିରେ ଆଗେଇ ଯାଉଛି। ବିଶେଷକରି ପ୍ରତିରକ୍ଷା ଓ ବିମାନ କ୍ଷେତ୍ରରେ ଉତ୍ପାଦନ ବଢ଼ିବା ଭାରତର ସାମର୍ଥ୍ୟକୁ ପ୍ରଦର୍ଶନ କରୁଛି।

ଭାରତୀୟ ନୌସେନାରେ ସାମିଲ ହୋଇଥିବା INS Dunagiri, INS Sanshodhak ଓ INS Agray ଯୁଦ୍ଧଜାହାଜର ଉଲ୍ଲେଖ କରି କହିଥିଲେ ଯେ ଏହାର ଡିଜାଇନ୍ ଠାରୁ ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଭାରତରେ ହୋଇଛି। ଏହା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ସଫଳତା। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଗତିରେ ସ୍ୱାବଲମ୍ବୀ ହେଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ନିର୍ମିତ C-295 ବିମାନ ସଫଳ ପ୍ରଥମ ଉଡ଼ାଣ କରିଛି। ୪୦ଟି ବିମାନ ଭାରତରେ ନିର୍ମାଣ ହେଉଛି, ଯାହା ଏମଏସଏମଇ ଓ ଏରୋସ୍ପେସ୍ ଶିଳ୍ପକୁ ନୂଆ ଗତି ଦେବା ସହ ରୋଜଗାର ସୃଷ୍ଟିରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୧ ଜୁନରେ ପାଳିତ ଆନ୍ତର୍ଜାତୀୟ ଯୋଗ ଦିବସରେ ବିଶ୍ୱର ବିଭିନ୍ନ ଦେଶର କୋଟି କୋଟି ଲୋକ ଯୋଗରେ ସାମିଲ ହୋଇଥିଲେ। ଯୋଗ ଏବେ କେବଳ ଭାରତର ସାଂସ୍କୃତିକ ଐତିହ୍ୟ ନୁହେଁ, ବରଂ ବିଶ୍ୱର ସୁସ୍ଥ ଜୀବନଶୈଳୀର ଏକ ଅଂଶ ହୋଇପାରିଛି ବୋଲି କହିବା ସହ ପ୍ରତିଦିନ ଯୋଗକୁ ଜୀବନର ଅଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ।

ପଶ୍ଚିମ ଏସିଆର ତୀବ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ନାଗରିକଙ୍କୁ କିଛି ସମୟ ପାଇଁ ସୁନା କିଣିବାରୁ ବିରତ ରହିବାକୁ ଅନୁରୋଧ କରିଥିଲେ। ଏହି ଆହ୍ୱାନକୁ ଦେଶବାସୀ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ଏକାଠି ଗାଡ଼ିରେ ଯାତ୍ରା (Carpooling) କଲେ ଇନ୍ଧନ ସଞ୍ଚୟ, ପ୍ରଦୂଷଣ ହ୍ରାସ ଓ ଟ୍ରାଫିକ୍ ସମସ୍ୟା କମିପାରିବ। ଏହାକୁ ସେ ଜନସହଭାଗିତାର ଏକ ଭଲ ଉଦାହରଣ ବୋଲି କହିଥିଲେ।

ନବସୃଷ୍ଟି (Innovation), ବିଜ୍ଞାନ ଓ ପ୍ରଯୁକ୍ତିକୁ ଆପଣାଇ ଭାରତକୁ ଆଗକୁ ନେବାରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସମସ୍ତଙ୍କୁ ନିଜ ନିଜ ସ୍ତରରେ ଅବଦାନ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ।