ଭତ୍ତା ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଅପଡେଟ୍ ପାଇଁ ପରାମର୍ଶ
SNA-SPARSH ପୋର୍ଟାଲରେ ପେନ୍ସନ ପ୍ରଦାନରେ ବାଧା ସୃଷ୍ଟି କରିପାରେ
ଭୁବନେଶ୍ୱର, ୩୦/୦୬: ରାଜ୍ୟର ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅନ୍ତର୍ଗତ ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ ପାଇଛି। ସରକାରୀ ସ୍ତରରୁ ଜଣାପଡ଼ିଛି ଯେ, ରାଜ୍ୟରେ ପ୍ରାୟ ୩ ଲକ୍ଷ ୩୫ ହଜାର ୮୫୦ ଜଣ ହିତାଧିକାରୀଙ୍କ ଆଧାର ନମ୍ବର ଏପର୍ଯ୍ୟନ୍ତ ସେମାନଙ୍କ ବ୍ୟାଙ୍କ ଖାତା ସହ ଲିଙ୍କ୍ ହୋଇନାହିଁ। ଏହା ନୂତନ SNA-SPARSH ପୋର୍ଟାଲ ମାଧ୍ୟମରେ ପେନସନ୍ ପ୍ରଦାନରେ ବାଧା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।
ଓଡ଼ିଶା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ବିଷୟରେ ନିର୍ଦ୍ଦେଶ ଦିଆଯାଇଛି। ଚିଠିରେ ହିତାଧିକାରୀଙ୍କୁ ଶୀଘ୍ର ଆଧାର ସିଡିଂ ଓ e-KYC ପ୍ରକ୍ରିୟା ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାରଙ୍କ ନୂତନ SNA-SPARSH ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ପଠାଯିବ। ଏଥିପାଇଁ ଆଧାର-ବ୍ୟାଙ୍କ ଲିଙ୍କ୍ ସଫଳ ହେବା ଆବଶ୍ୟକ।
ଅନେକ ହିତାଧିକାରୀ ବୟସ୍କ କିମ୍ବା ଗ୍ରାମାଞ୍ଚଳରେ ବାସ କରୁଥିବାରୁ ଏହି ପ୍ରକ୍ରିୟା ସମ୍ପନ୍ନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଆଧାର ଲିଙ୍କ୍ ନଥିଲେ ଭତ୍ତା ପ୍ରଦାନରେ ବିଳମ୍ବ କିମ୍ବା ବାଧା ଉପୁଜିପାରେ। ଜିଲ୍ଲା ପ୍ରଶାସନକୁ ଘରେ ଘରେ ଯାଇ ହିତାଧିକାରୀଙ୍କୁ ଚିହ୍ନଟ କରି ଆଧାର ସିଡିଂ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କୁହାଯାଇଛି।