ହାଇ ଆଲର୍ଟରେ ରହିବାକୁ ULB କୁ ସରକାରଙ୍କ ନିର୍ଦ୍ଦେଶ

ନାଗରିକଙ୍କ ସୁରକ୍ଷା ଓ ନିରବଚ୍ଛିନ୍ନ ନାଗରିକ ସେବା ଯୋଗାଣକୁ ପ୍ରାଥମିକତା

ଭୁବନେଶ୍ୱର, ୦୧/୦୭: ଲଗାଣ ବର୍ଷା ପାଇଁ ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବା ଆଶଙ୍କାରେ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ହାଇଆଲର୍ଟରେ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ULBଗୁଡ଼ିକୁ ହଟ୍‌ସ୍ପଟ୍‌ ଓ ନିମ୍ନାଞ୍ଚଳରେ ଜଳବନ୍ଦୀ ରୋକିବାକୁ ପରାମର୍ଶ ଜାରି କରାଯାଇଛି। କୌଣସି ସ୍ଥାନରେ ଯେପରି ଜଳ ଜମି ନରୁହେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।

ନାଗରିକଙ୍କ ସୁରକ୍ଷା ଓ ନିରବଚ୍ଛିନ୍ନ ନାଗରିକ ସେବା ଯୋଗାଣକୁ ପ୍ରାଥମିକତା ଦେଇ ଜରୁରୀ ପରିସ୍ଥିତିରେ ପଦକ୍ଷେପ ପାଇଁ ୟୁଏଲ୍‌ବି ସଜାଗ ରହିବା ଆବଶ୍ୟକ ବୋଲି ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସିକୁ କୁହାଯାଇଛି।