ଆନ୍ଦୋଳନରତ ଡାକ୍ତରମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି ଆଲୋଚନା ପାଇଁ ଅନୁରୋଧ

“ସେବା ହିଁ ପରମ ଧର୍ମ” କୁ ପାଥେୟ କରି କାର୍ଯ୍ୟରେ‌ ଯୋଗ ଦେବାକୁ ଅନୁରୋଧ

ଭୁବନେଶ୍ୱର, ୦୨/୦୭: ରାଜ୍ୟରେ ରୋଗୀ ସେବାକୁ ନିରବଚ୍ଛିନ୍ନ ରଖିବା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ସ୍ୱାସ୍ଥ୍ୟ ସେବା ଜାରି ରହିଛି। ତେବେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବା ସହ ସରକାରଙ୍କ ସହ ଆଲୋଚନାରେ ସାମିଲ ହେବାକୁ ସରକାର ଅନୁରୋଧ କରିଛନ୍ତି।

ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA) ପକ୍ଷରୁ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ମାନ୍ୟବର ମନ୍ତ୍ରୀ ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା , କମିଶନର ତଥା ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ OMSA ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗ ତରଫରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲା।

ସରକାର ପୂର୍ବରୁ ଡାକ୍ତରମାନଙ୍କ ବହୁ ଦାବିକୁ ଗ୍ରହଣ କରି ସେମାନଙ୍କର କ୍ଯାଡର ରି-ଷ୍ଟ୍ରକଚରିଂ, Dynamic Assured Career Progression (DACP), Special Incentive ଏବଂ Place-based Incentive ପରି ବିଭିନ୍ନ ସୁବିଧା ଲାଗୁ କରିଛନ୍ତି। ଡାକ୍ତରମାନଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଅନେକ ସୁବିଧା କରିଛନ୍ତି ।

ରାଜ୍ୟ ସରକାର ସର୍ବଦା ଡାକ୍ତରମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ରହିଛନ୍ତି। କିନ୍ତୁ ରୋଗୀଙ୍କ ସ୍ୱାର୍ଥ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ସେଥିପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜଣାଇ ଦିଆଯାଇଛି। ସେମାନେ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କ ଦାବିଗୁଡ଼ିକ ଉପରେ ଗଠନମୂଳକ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି |

“ସେବା ହିଁ ପରମ ଧର୍ମ” ଏହାକୁ ପାଥେୟ କରି ଆନ୍ଦୋଳନରତ ଡାକ୍ତର ମାନଙ୍କୁ ଅନୁରୋଧ, ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରି ପୂର୍ବଭଳି ରୋଗୀସେବା ଜାରି ରଖନ୍ତୁ। ଯଦି ରୋଗୀଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ସେବା ବ୍ୟାଘାତ ହୁଏ ତା ହେଲେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ।