ଭୁବନେଶ୍ୱର, ୦୩/୦୭: ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ନେଇ ସମଗ୍ର ରାଜ୍ୟରେ ହାଇ ଆଲର୍ଟରେ ଅଗ୍ନିଶମ ବିଭାଗ। ଫାୟାର ଆଣ୍ଡ ଇମର୍ଜେନ୍ସି ସର୍ଭିସେସ୍ ଡିଜି ଡ଼ଃ ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ପ୍ରସ୍ତୁତିର ସମୀକ୍ଷା କଲେ ଆଇଜି ଡ଼ଃ ଉମାଶଙ୍କର ଦାଶ। ରାଜ୍ୟର ସମସ୍ତ ଫାୟାର ଷ୍ଟେସନରେ ୨୪ ଘଣ୍ଟିଆ ସେବା ନେଇ ଜାରି ହେଲା ହାଇ ଆଲର୍ଟ।
ଏ ନେଇ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟର ସବୁ ଅଗ୍ନିଶମ କେନ୍ଦ୍ରକୁ ୨୪ ଘଣ୍ଟିଆ ସତର୍କ ଅବସ୍ଥାରେ ରଖାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁର ରେଞ୍ଜରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ କରାଯାଇଛି। ପ୍ରଶାସନ ସହ ସମନ୍ୱୟ ରଖି ଜରୁରୀ ସମୟରେ ସହାୟତା ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି।
ରାଜ୍ୟରେ ୩୨୪ଟି ମୋଟରଚାଳିତ ଇନଫ୍ଲେଟେବଲ୍ ରବର ବୋଟ୍ ମୁତୟନ କରାଯାଇଛି। କେନ୍ଦ୍ରାଞ୍ଚଳରେ ୧୫୯, ଦକ୍ଷିଣାଞ୍ଚଳରେ ୮୪ ଓ ଉତ୍ତରାଞ୍ଚଳରେ ୮୧ ବୋଟ୍ ମୁତୟନ ହୋଇଛି। ୩,୧୪୩ଟି ଲାଇଫ୍ ଜ୍ୟାକେଟ୍ ଓ ୨,୭୧୨ଟି ଲାଇଫ୍ ବୟ ମହଜୁଦ ଅଛି।
୧୪୫ଟି ଅଣ୍ଡରୱାଟର ବ୍ରିଦିଂ ସେଟ୍ ଓ ୧୬୧ଟି ସର୍ଫେସ୍ ବ୍ରିଦିଂ ସେଟ୍ ପ୍ରସ୍ତୁତ ରହିଛି। ଜଳମଗ୍ନ ରାସ୍ତା ଓ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ୯୫୨ ପମ୍ପ ମୁତୟନ କରାଯାଇଛି। ରାତ୍ର ଉଦ୍ଧାର ପାଇଁ ୬୨୮ଟି ଟାୱାର ଲାଇଟ୍ ଓ ୧୭୩ଟି ସର୍ଚ୍ଚ ଲାଇଟ୍ ବ୍ୟବସ୍ଥା କରାଯାଇଛି। ରାସ୍ତା ସଫା ପାଇଁ ୧୫୫୧ ଚେନ୍ସ, ୧୩୬ ହାଇଡ୍ରୋଲିକ୍ ରେସ୍କ୍ୟୁ ଟୁଲ୍ ପ୍ରସ୍ତୁତ ରହିଛି।
ସାଧାରଣ ଲୋକଙ୍କୁ ପାଣି ଜମା ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ଜରୁରୀ ସହାୟତା ପାଇଁ ହେଲ୍ପଲାଇନ୍ ନଂ ୧୧୨କୁ କଲ୍ କରିବାକୁ ଅନୁରୋଧ କରାଯାଇଛି।