ବଢ଼ିଲା ନବୀନ ଓ ପାଣ୍ଡିଆନଙ୍କ ଅଡୁଆ, କୋର୍ଟ ପକ୍ଷରୁ ନୋଟିସ ଜାରି

୧୫ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୦୩/୦୭: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ. ପାଣ୍ଡିଆନଙ୍କ ପାଇଁ ଆଇନଗତ ଅଡ଼ୁଆ ବଢ଼ିବାରେ ଲାଗିଛି। ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନକୁ ଶତାଧିକ ଥର ହେଲିକପ୍ଟରରେ ଗସ୍ତ ଓ ଭବ୍ୟ ସଭା କରିବା ଏବଂ ସେସବୁ ବାବଦରେ ହୋଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚକୁ ନେଇ ଦାଏର ରିଭିଜନ୍‌ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍।

ଏହି ହାଇପ୍ରୋଫାଇଲ୍ ମାମଲାରେ ଦୌରା ଜଜ୍ ବିଏନ୍ ମହାନ୍ତି ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ସମନ୍ ଜାରି କରିବା ସହ ଆସନ୍ତା ଜୁଲାଇ ୧୫ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନୋଟିସ ପରେ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଆଡଭୋକେଟ୍ ସୁଧୀର ଚରଣ ମହାନ୍ତି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟଙ୍କ ପୂର୍ବ ଆଦେଶକୁ ଚ୍ୟାଲେଞ୍ଜ କରି ବରିଷ୍ଠ ଓକିଲ ମନୋଜ ନାୟକଙ୍କ ମାଧ୍ୟମରେ ଜିଲ୍ଲା ଦୌରା ଜଜଙ୍କ ନିକଟରେ ଏହି ରିଭିଜନ ପିଟିସନ୍ ଦାଏର କରିଥିଲେ। କୋର୍ଟ ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ଶୁଣାଣି ପରେ ଏହାକୁ ଆଗକୁ ବଢ଼ାଇବା ନିମନ୍ତେ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଏହି ଆଭିମୁଖ୍ୟ ପରେ ନବୀନ ଓ ପାଣ୍ଡିଆନଙ୍କୁ ସମଗ୍ର ବିବାଦ ଉପରେ ନିଜ ପକ୍ଷ ରଖିବାକୁ ପଡ଼ିବ। ଏ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀଙ୍କ ଓକିଲ ଶ୍ରୀ ନାୟକ କହିଛନ୍ତି ଯେ, ଦୌରା ଜଜ୍ ଏହି ରିଭିଜନ୍‌ ପିଟିସନକୁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଜୁଲାଇ ୧୫ତାରିଖ ସୁଦ୍ଧା ସେମାନଙ୍କୁ ଜବାବ ଦେବାକୁ କୁହାଯାଇଛି। ଆବେଦନକାରୀ ଶ୍ରୀ ମହାନ୍ତିଙ୍କ ଅଭିଯୋଗ ପତ୍ରକୁ ଆଧାର କରି ଏହି ସମଗ୍ର ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।