ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ

ଆଗାମୀ ଦୁଇ ଦିନରେ ଅଧିକ ଘନୀଭୂତ ହେବାର ସମ୍ଭାବନା

ଭୁବନେଶ୍ୱର, ୦୩/୦୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ବର୍ତ୍ତମାନ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପୂର୍ବରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ଥିଲା। ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର।

ଆଇଏମ୍‌ଡି ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି ଏବଂ ଏହା ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳି ରହିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆଗାମୀ କିଛି ଦିନ ମଧ୍ୟରେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି।

ସେପଟେ, ଜୁଲାଇ ୩ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ତତ୍‌ସଂଲଗ୍ନ ସମୁଦ୍ର ଅଞ୍ଚଳକୁ ମାଛଧରା ପାଇଁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ଆଇଏମ୍‌ଡି ପକ୍ଷରୁ ପରାମର୍ଶ ଦିଆଯାଇଛି।