ରାଷ୍ଟ୍ରର ଏକତା ପାଇଁ ଜୀବନ ଉତ୍ସର୍ଗ କରିଥିଲେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ: ଡଃ ତପନ ଚାନ୍ଦ
‘ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ତ୍ୟାଗ ଓ ରାଷ୍ଟ୍ରଭକ୍ତି ଚିରସ୍ମରଣୀୟ’
ଭୁବନେଶ୍ୱର, ୦୫/୦୭: ଆସନ୍ତାକାଲି ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ରାଜନେତା ତଥା ରାଷ୍ଟ୍ରବାଦୀ ନେତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ। ଏହି ଅବସରରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନାଲକୋର ପୂର୍ବତନ ସିଏମଡି ଡଃ ତପନ ଚାନ୍ଦ।
ଡଃ ତପନ ଚାନ୍ଦ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ କହିଛନ୍ତି, ଯେଉଁ ମହାନ ବ୍ୟକ୍ତିତ୍ୱଙ୍କ ନାମ ଶୁଣିଲେ ଜାତୀୟ ଭାବନାରେ ହୃଦୟ ଉଦ୍ବେଳିତ ହୋଇଉଠେ ଏବଂ ୧୯୫୦ ଦଶକର ସେହି ଐତିହାସିକ ସ୍ଲୋଗାନ— “ଏକ ଦେଶରେ ଦୁଇ ବିଧାନ, ଦୁଇ ନିଶାନ, ଦୁଇ ପ୍ରଧାନ –ଚାଲିବ ନାହିଁ “—କୁ ସ୍ମରଣ କରାଏ, ସେହି ମହାନ ନେତା ହେଲେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ। ସେ ଥିଲେ ଜଣେ ଦୂରଦର୍ଶୀ ରାଜନେତା, ଯିଏ ମାତୃଭୂମିର ଏକତା ଓ ଅଖଣ୍ଡତା ପାଇଁ ନିଜ ସର୍ବସ୍ୱ, ଏପରିକି ନିଜ ଜୀବନ ମଧ୍ୟ ଉତ୍ସର୍ଗ କରିଥିଲେ।
ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ୬ ଜୁଲାଇ ୧୯୦୧ ମସିହାରେ କୋଲକାତାରେ ହୋଇଥିଲା। ସେହି ସମୟ ଭାରତୀୟ ନବଜାଗରଣର ଅନ୍ତିମ ପର୍ଯ୍ୟାୟ ଥିଲା, ଯେତେବେଳେ ରବୀନ୍ଦ୍ରନାଥ ଠାକୁର, ସ୍ୱାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ପରି ମହାନ ଚିନ୍ତକ ଓ ସୃଜନଶୀଳ ବ୍ୟକ୍ତିମାନେ ଦେଶଭକ୍ତି, ଆଧ୍ୟାତ୍ମିକ ଜାତୀୟତାବାଦ ଓ ସାମ୍ରାଜ୍ୟବାଦ ବିରୋଧୀ ଚେତନାର ସଞ୍ଚାର କରୁଥିଲେ। ଡଃ ମୁଖାର୍ଜୀ ଥିଲେ ଜଣେ ପ୍ରଖର ରାଷ୍ଟ୍ରବାଦୀ, ଯିଏ ଏକତାବଦ୍ଧ ଓ ଆଧୁନିକ ଭାରତର ସ୍ୱପ୍ନ ଦେଖିଥିଲେ।
ସେ ଜଣେ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ ଏବଂ ଜଣେ ବିଦ୍ୱାନ ଓ ଶିକ୍ଷାବିତ୍ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୨୨ ମସିହାରେ ସେ ‘ବଙ୍ଗବାଣୀ’ ନାମକ ପତ୍ରିକା ପ୍ରକାଶ କରି ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିଥିଲେ। ଏହି ପତ୍ରିକାରେ ରବୀନ୍ଦ୍ରନାଥ ଟାଗୋର ଓ ଶରତ୍ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପରି ବିଶିଷ୍ଟ ସାହିତ୍ୟିକମାନେ ମଧ୍ୟ ଲେଖୁଥିଲେ। ‘ବଙ୍ଗବାଣୀ’ ବ୍ରିଟିଶ ଶାସନର ଭିତ୍ତିକୁ ହଲାଇ ଦେଇଥିଲା ଏବଂ ଖୁବ୍ ଶୀଘ୍ର ଔପନିବେଶିକ ସରକାର ଏହାକୁ ନିଷିଦ୍ଧ କରିଦେଇଥିଲା।
ତାଙ୍କ ପିତା ସାର୍ ଆଶୁତୋଷ ମୁଖାର୍ଜୀ ଜଣେ ପ୍ରସିଦ୍ଧ ଶିକ୍ଷାବିତ୍, ନ୍ୟାୟବିଦ୍ ଓ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ସେ “ବେଙ୍ଗଲର ବାଘ” ଭାବେ ସୁପରିଚିତ ଥିଲେ। ପିତାଙ୍କ ପ୍ରଭାବ ତରୁଣ ଶ୍ୟାମା ପ୍ରସାଦଙ୍କ ଜୀବନରେ ଗଭୀର ଭାବେ ପଡ଼ିଥିଲା। ମାତ୍ର ୩୩ ବର୍ଷ ବୟସରେ, ୧୯୩୪ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ହୋଇଥିଲେ।
୧୯୩୪ ରୁ ୧୯୩୮ ପର୍ଯ୍ୟନ୍ତ କୁଳପତି ଭାବେ ସେ ଉଚ୍ଚଶିକ୍ଷାରେ ଭାରତୀୟ ଭାଷାର ପ୍ରଚଳନ, ଭାରତୀୟ ସଂସ୍କୃତି ଓ ଶିକ୍ଷାର ସଂସ୍କାର ଏବଂ ବିଶ୍ୱବିଦ୍ୟାଳୟରେ ବଙ୍ଗଳା ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିଥିଲେ। ତାଙ୍କ ଆମନ୍ତ୍ରଣରେ ୧୭ ଫେବୃଆରୀ ୧୯୩୭ ରେ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଟାଗୋର କଲିକତା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଭାଷଣ ବଙ୍ଗଳା ଭାଷାରେ ପ୍ରଦାନ କରିଥିଲେ। ଏହା ଭାରତୀୟ ଶିକ୍ଷା ଇତିହାସରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ପରିଗଣିତ ହୁଏ।
ବୀର ସାବରକରଙ୍କ ଆଦର୍ଶରେ ପ୍ରେରିତ ହୋଇ ସେ ହିନ୍ଦୁ ମହାସଭାରେ ଯୋଗଦେଇ ପ୍ରଥମେ କାର୍ଯ୍ୟକାରୀ ସଭାପତି ଏବଂ ପରେ ସର୍ବଭାରତୀୟ ସଭାପତି ହୋଇଥିଲେ। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍.ଏସ୍.ଏସ୍.)ର କାର୍ଯ୍ୟକଳାପରେ ଗଭୀର ଭାବେ ପ୍ରଭାବିତ ହୋଇ ଏହାକୁ “ଆଶାର କିରଣ” ବୋଲି ବର୍ଣ୍ଣନା କରିଥିଲେ ଏବଂ ଜାତୀୟ ଜାଗରଣ ଓ ସାମାଜିକ ସଂଗଠନରେ ଏହାର ଭୂମିକାକୁ ପ୍ରଶଂସା କରିଥିଲେ।
ତାଙ୍କ ଦକ୍ଷତା, ଦୂରଦର୍ଶିତା ଓ ରାଜନୈତିକ ପ୍ରଜ୍ଞାରେ ପ୍ରଭାବିତ ହୋଇ ଜବାହରଲାଲ ନେହେରୁ ସ୍ୱାଧୀନତା ପରେ ଭାରତର ପ୍ରଥମ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ତାଙ୍କୁ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ୧୯୪୭ ରୁ ୧୯୫୦ ପର୍ଯ୍ୟନ୍ତ ସେ ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ଶିଳ୍ପ ମନ୍ତ୍ରୀ ଭାବେ ସେ ଭାରତର ଔଦ୍ୟୋଗିକ ବିକାଶର ଭିତ୍ତି ସ୍ଥାପନ କରିଥିଲେ। ତାଙ୍କ ଉଦ୍ୟମରେ ସିନ୍ଦ୍ରି ସାର କାରଖାନା, ଚିତ୍ତରଞ୍ଜନ ଲୋକୋମୋଟିଭ୍ ୱାର୍କ୍ସ, ଭିଲାଇ ଇସ୍ପାତ କାରଖାନା ଏବଂ ହିନ୍ଦୁସ୍ତାନ ଏୟାରକ୍ରାଫ୍ଟ (ବର୍ତ୍ତମାନ HAL) ପରି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇଥିଲା। ସେ ଔଦ୍ୟୋଗିକ ବିକାଶରେ ସ୍ୱାବଲମ୍ବନର ଦୃଢ଼ ସମର୍ଥକ ଥିଲେ ଏବଂ ଆଜିର ‘ଆତ୍ମନିର୍ଭର ଭାରତ’ ଧାରଣାର ଜଣେ ବୈଚାରିକ ପ୍ରେରଣାସ୍ରୋତ ଭାବେ ପରିଗଣିତ।
୬ ଏପ୍ରିଲ ୧୯୫୦ ରେ ସେ ନେହେରୁ–ଲିଆକତ୍ ଚୁକ୍ତିର ବିରୋଧରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ତାଙ୍କର ମତ ଥିଲା ଯେ, ପୂର୍ବ ପାକିସ୍ତାନରେ ହିନ୍ଦୁମାନଙ୍କ ସୁରକ୍ଷା ପ୍ରତି ଏହି ଚୁକ୍ତି ଯଥେଷ୍ଟ ଗୁରୁତ୍ୱ ଦେଇନଥିଲା।
ଏହା ପରେ ୨୧ ଅକ୍ଟୋବର ୧୯୫୧ ରେ ଆର୍.ଏସ୍.ଏସ୍.ର ସହଯୋଗରେ ସେ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ବିକଶିତ ହୋଇ ଆଜିର ଭାରତୀୟ ଜନତା ପାର୍ଟି (ବିଜେପି) ରେ ପରିଣତ ହୋଇଛି—ଯାହା ବର୍ତ୍ତମାନ ୧୪ କୋଟିରୁ ଅଧିକ ସଦସ୍ୟ ବିଶିଷ୍ଟ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଜନୈତିକ ଦଳ।
୧୯୫୨ ମସିହାରେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଦକ୍ଷିଣ କୋଲକାତା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ସଂସଦରେ ସେ ନିର୍ଭୀକ ଓ ଦୃଢ଼ତାର ସହିତ ଜାତୀୟ ସ୍ୱାର୍ଥର ପ୍ରସଙ୍ଗ ଉଠାଉଥିଲେ। ଏହି କାରଣରୁ ସେ “ସଂସଦର ସିଂହ” ଭାବେ ପରିଚିତ ହୋଇଥିଲେ।
ଜଣେ ପ୍ରକୃତ ରାଷ୍ଟ୍ରବାଦୀ ଭାବେ ସେ ଜମ୍ମୁ ଓ କାଶ୍ମୀରର ସମ୍ପୂର୍ଣ୍ଣ ଭାବେ ଭାରତ ସହ ଏକୀକରଣର ପ୍ରବଳ ସମର୍ଥକ ଥିଲେ। ୧୯୫୨–୫୩ ମସିହାରେ ସେ କାଶ୍ମୀର ଆନ୍ଦୋଳନର ନେତୃତ୍ୱ କୁ ସମର୍ଥନ କରିଥିଲେ । ୧୧ ମଇ ୧୯୫୩ ରେ ସେ ପରମିଟ୍ ବ୍ୟବସ୍ଥାର ବିରୋଧରେ ପରମିଟ୍ ବିନା ଜମ୍ମୁ ଓ କାଶ୍ମୀରରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ଗିରଫ କରାଯାଇଥିଲା।
୨୩ ଜୁନ୍ ୧୯୫୩ ରେ ଶ୍ରୀନଗରରେ ହାଜତ ରେ ତାଙ୍କର ରହସ୍ୟଜନକ ମୃତ୍ୟୁ ଘଟିଥିଲା। ସମଗ୍ର ଦେଶ ଶୋକାକୁଳ ହୋଇ ଏହାର ନିରପେକ୍ଷ ଓ ପୂର୍ଣ୍ଣାଙ୍ଗ ତଦନ୍ତ ଦାବି କରିଥିଲା, କିନ୍ତୁ ତତ୍କାଳୀନ ଜବାହରଲାଲ ନେହେରୁ ସରକାର ସେପରି କୌଣସି ତଦନ୍ତ କରିନଥିଲେ। ଅନେକଙ୍କ ମତରେ ସେ ହାଜତ ରେ ହତ୍ୟାର ଶିକାର ହୋଇଥିଲେ। ସେହି କାରଣରୁ ପ୍ରତିବର୍ଷ ୨୩ ଜୁନକୁ ସମଗ୍ର ଦେଶ “ବଳିଦାନ ଦିବସ” ଭାବେ ପାଳନ କରେ।
ଭାରତମାତାଙ୍କ ଏହି ଯୋଗ୍ୟ ସନ୍ତାନ ମାତୃଭୂମିର ଏକତା ଓ ଅଖଣ୍ଡତା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଆଜି ଆମ ମାନଙ୍କ ଗହଣରେ ନଥିଲେ ମଧ୍ୟ, ତାଙ୍କର ପୂର୍ଣ୍ଣ ଚିନ୍ତାଧାରା ଓ ରାଷ୍ଟ୍ର ପ୍ରତି ପ୍ରେମ ଆମ ମାନଙ୍କୁ ସଦା ସର୍ବଦା ପ୍ରେରିତ କରିବ।
ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସଂବିଧାନରୁ ଧାରା ୩୭୦ ଉଚ୍ଛେଦ କରିବା ଏବଂ ଅପରେସନ୍ ସିନ୍ଦୂର ଆରମ୍ଭ କରିବା ମାଧ୍ୟମରେ ଏହି ମହାନ ରାଷ୍ଟ୍ରନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ, ତ୍ୟାଗ, ରାଷ୍ଟ୍ରଭକ୍ତି ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣା ଓ ଉତ୍ସାହର ଉତ୍ସ ଭାବରେ ପ୍ରତିପାଦିତ ହେବ।