ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଶ୍ରଦ୍ଧାଞ୍ଜଳି 

‘ଶ୍ୟାମା ପ୍ରସାଦ – ହିନ୍ଦୁ ମହାସଭାରୁ ଜନସଂଘ ପର୍ଯ୍ୟନ୍ତ, ଏକ ଅଖଣ୍ଡ ଭାରତର ସ୍ବପ୍ନଦ୍ରଷ୍ଟା’

 

ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି

‘ଶ୍ୟାମା ପ୍ରସାଦ – ହିନ୍ଦୁ ମହାସଭାରୁ ଜନସଂଘ ପର୍ଯ୍ୟନ୍ତ, ଏକ ଅଖଣ୍ଡ ଭାରତର ସ୍ବପ୍ନଦ୍ରଷ୍ଟା’

ଭୁବନେଶ୍ୱର, ୦୫/୦୭: ଆସନ୍ତାକାଲି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ସାଂସଦ କହିଛନ୍ତି, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କର ଆବିର୍ଭାବ ଓ ତିରୋଭାବ ଉଭୟ ଆଜି ଇତିହାସ ହୋଇସାରିଛି। ମାତ୍ର ଇତିହାସର ଗର୍ତ୍ତ ଭିତରୁ ବଜ୍ରନିନାଦରେ ହୁଙ୍କାର କରି ଏ ଜାତିକୁ ଉତ୍ସାହ ଓ ପ୍ରେରଣା ଦେବାର ସାମର୍ଥ୍ୟ ଏହି ମୃତ୍ୟୁଞ୍ଜୟୀ ବ୍ୟକ୍ତିତ୍ୱ ପାଖରେ ଆଜି ବି ଅଛି। ଇତିହାସର ଗହ୍ୱର ଭିତରେ ତାଙ୍କୁ ସବୁଦିନ ପାଇଁ ନିଶ୍ଚିହ୍ନ କରିଦେବାର ଷଡ଼ଯନ୍ତ୍ର ଶେଷରେ ବ୍ୟର୍ଥ ହୋଇଯାଇଛି. ଭାରତର ସେତେବେଳେ ଘୋର ଦୁର୍ଦ୍ଦିନ। ବ୍ରିଟିଶ ଅତ୍ୟାଚାରରେ ଜର୍ଜରିତ ଭାରତ ମାତା ଓ ଭାରତର ଜନସାଧାରଣ । ଏହି ପଦ ଦଳିତ ରାଷ୍ଟ୍ରର ଜଣେ ଯୁବ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ଆମେରିକାରେ ଓ ବିଶ୍ୱର ବିଭିନ୍ନ ଦେଶରେ ବେଦାନ୍ତର ପ୍ରଚାର ମାଧ୍ୟମରେ ସନାତନ ଧର୍ମର ବିଜୟ ବାର୍ତ୍ତା ପ୍ରଚାର କରିସାରିଛନ୍ତି। ଏହି ସମୟରେ ବଙ୍ଗପ୍ରଦେଶରେ ଶ୍ୟାମା ପ୍ରସାଦଙ୍କର ଆବିର୍ଭାବ, ତାଙ୍କର ପିତା ସା୍ର ଆଶୁତୋଷ ମୁଖାର୍ଜୀ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଓ କଲିକତା ହାଇକୋର୍ଟର ବିଚାରପତି ଥିଲେ। ତାଙ୍କର ଯଶସ୍ବୀ ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ବଙ୍ଗର ବାଘ (Bengal Tiger )ବୋଲି କୁହାଯାଉଥିଲା। ଡକ୍ଟର ମୁଖାର୍ଜୀ ମେଟ୍ରିକ୍, IA, BA , MA, ଓ ବିଏଲ ପରୀକ୍ଷାରେ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବିଲକ୍ଷଣ ମେଧାର ପରିଚୟ ଦେଇଥିଲେ। ସେ ମାତ୍ର ତେଇଶ ବର୍ଷରେ ସିନେଟ୍ ଓ ପରେ ସିଣ୍ଡିକେଟ୍ ର ସଦସ୍ୟ ହୋଇଥିଲେ‌। ୧୯୩୩ ମସିହାରେ ସେ ମାତ୍ର ୩୩ ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ହେବା ସହିତ ଭାରତର ସର୍ବକନିଷ୍ଠ କୁଳପତି ହେବାର ଗୌରବ ଅର୍ଜନ କରିଥିଲେ। ନୋବେଲ ବିଜେତା ରବୀନ୍ଦ୍ରନାଥ ଠାକୁରଙ୍କୁ ନେଇ ବାରମ୍ବାର କଲିକତା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଭାଷଣ ଦେବା ସୁଯୋଗ ଦେଇଥିଲେ। ସମଗ୍ର ବ୍ରିଟିଶ ପରମ୍ପରାକୁ ଭାଙ୍ଗି ସେ ବଙ୍ଗ ଭାଷାରେ ଭାଷଣ ଦିଆ କରାଇଥିଲେ। ସେ ରାଜନୀତିକୁ ଯିବାର ସ୍ୱପ୍ନ ଦେଖିନଥିଲେ, ଶିକ୍ଷା କ୍ଷେତ୍ର ହିଁ ତାଙ୍କର ହୃଦୟ ସ୍ପନ୍ଦନ ଥିଲା। ମାକୋଲେଙ୍କ ଶିକ୍ଷା ପଦ୍ଧତି ସେ ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ। ସେ ବିଲାତ ଯାଇ ବାରିଷ୍ଟରି ପାସ କରି ଆସିଥିଲେ। ସେ ଯଦି ରାଜନୀତିରେ ପ୍ରବେଶ କରି ନଥାନ୍ତେ, ତେବେ ବିଶ୍ୱର ଜଣେ ପ୍ରଚଣ୍ଡ ଶିକ୍ଷାବିତ ହେବାର ଗୌରବ ଅର୍ଜନ କରିଥାନ୍ତେ। ତାଙ୍କର କୁଳପତିତ୍ୱ ସମୟରେ କଲିକତା ବିଶ୍ୱବିଦ୍ୟାଳୟର ଅବିଶ୍ୱସନୀୟ ଉନ୍ନତି ହେବା ସହିତ ତାର ସମ୍ମାନ ମଧ୍ୟ ଗଗନ ସ୍ପର୍ଶୀ ହୋଇଥିଲା।

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଏକାଧାରରେ ଜଣେ ପ୍ରଚଣ୍ଡ ଶିକ୍ଷାବିତ୍, ଦକ୍ଷ ପ୍ରଶାସକ, ଆଦର୍ଶ ଜନସେବକ, ପ୍ରଖର ଦେଶଭକ୍ତ, ବିଚକ୍ଷଣ ସାଂସଦ, ଚମତ୍କାର ବକ୍ତା, ନିର୍ଭୀକ ବିପ୍ଳବୀ, କୁଶଳୀ ସଙ୍ଗଠକ, ଦୂରଦୃଷ୍ଟି ସମ୍ପନ୍ନ ନେତା, ସାଲିସ ବିହୀନ ଯୋଦ୍ଧା, ମହାନ ଜନନାୟକ ଏବଂ ସମର୍ପିତ ରାଷ୍ଟ୍ର ସାଧକ ଥିଲେ. ବଙ୍ଗ ବିଧାନସଭାରେ ସେ କଲିକତା ବିଶ୍ୱବିଦ୍ୟାଳୟ ତରଫରୁ ନିର୍ବାଚିତ ସଦସ୍ୟ ହୋଇଥିଲେ କଂଗ୍ରେସ ଟିକେଟରେ l

ମାତ୍ର ସେତେବେଳେ ମଧ୍ୟ ରାଜନୀତିରେ କୌଣସି ରୁଚି ନ ଥିଲା। କେବଳ ବିଶ୍ୱବିଦ୍ୟାଳୟର ସ୍ୱାର୍ଥ ସାଧନ ପାଇଁ ସେ ଏହାକୁ ସ୍ୱୀକାର କରିଥିଲେ l କଂଗ୍ରେସ ସହିତ ମତଭେଦ ହେବାରୁ ସେ ନୈତିକତା ଦୃଷ୍ଟିରୁ ଇସ୍ତପା ଦେଇ ପୁଣି ସ୍ୱାଧୀନ ଭାବେ ନିର୍ବାଚିତ ହୋଇ ଆସିଥିଲେ। ୧୯୩୨ ମସିହା ବେଳକୁ ବ୍ରିଟିଶ ସରକାର କମ୍ୟୁନାଲ ଏୱାର୍ଡ ଘୋଷଣା କରିସାରିଥିଲେ. ଏଥିରେ ମୁସଲମାନ ଓ ୟୁରୋପିଆନ ସମ୍ପ୍ରଦାୟ ପାଇଁ ସଂଖ୍ୟାନୁପାତରୁ ଯଥେଷ୍ଟ ଅଧିକ ଆସନ ଦିଆଯାଇଥିଲା। ତଥାପି ତଫସିଲ୍ ଭୁକ୍ତ ଜାତିମାନଙ୍କୁ ହିନ୍ଦୁ ସମାଜରୁ ପୃଥକ ଭାବେ ଦେଖାଯାଇ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ଆରକ୍ଷିତ କରାଯାଇଥିଲା। ଅନ୍ୟ ହିନ୍ଦୁମାନଙ୍କ ପାଇଁ ଅତି ଅଳ୍ପ ସ୍ଥାନ ରଖାଯାଇଥିଲା। ଖ୍ରୀଷ୍ଟିଆନମାନଙ୍କ ପାଇଁ ଅଲଗା ସ୍ଥାନ ସଂରକ୍ଷଣ କରାଯାଇଥିଲା। ବଙ୍ଗର ଗଭର୍ଣ୍ଣର ଭାରତର ଭାଇସ ରୟ, ମହାତ୍ମା ଗାନ୍ଧୀ ଓ ନେହେରୁ ଆଦି ସମସ୍ତଙ୍କୁ ଗୁହାରି କରି ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ହିନ୍ଦୁ ସମାଜକୁ ଦୁର୍ବଳ କରିବା ପାଇଁ ଜାତିଗତ ଓ ସାମ୍ପ୍ରଦାୟିକ ଭେଦ ସୃଷ୍ଟି କରିବା ନିମିତ୍ତ, ଏହା ଏକ ବ୍ରିଟିଶ ଚକ୍ରାନ୍ତ ବୋଲି ସେ ବୁଝି ପାରିଲେ। ମାତ୍ର ସାମ୍ପ୍ରଦାୟିକ ଛାପ ଲାଗି ଯିବା ଭୟରେ କଂଗ୍ରେସ କେବଳ ମୌନ ନୁହେଁ, ଏହି ସାମ୍ପ୍ରଦାୟିକ ଶକ୍ତି ଆଗରେ ନତମସ୍ତକ ହେବା ତାଙ୍କୁ ବହୁତ ବାଧିଥିଲା। ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ଯୋଗ ଦେବା ପାଇଁ ସ୍ଥିର କଲେ। ବହୁ ବିଚାର ପରେ ସେ ବୀର ସାବରକରଙ୍କର ହିନ୍ଦୁ ମହାସଭାରେ ଯୋଗ ଦେଲେ ଓ ତାହାର ଅଖିଳ ଭାରତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିର୍ବାଚିତ ହେଲେ।

ବଙ୍ଗର ନିର୍ବାଚନରେ କୃଷକ ପ୍ରଜା ପାର୍ଟି ଏକକ ସଂଖ୍ୟା ଗରିଷ୍ଠ ପାର୍ଟି ଭାବେ ଆବିର୍ଭୂତ ହେଲା l ସେମାନେ କଂଗ୍ରେସ ସହିତ ମେଣ୍ଟ କରିବାକୁ ଆଗ୍ରହ ପ୍ରକାଶ କଲେ। ମୁସଲିମ୍ ଲିଗ୍ କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଡକ୍ଟର ମୁଖାର୍ଜୀ ମଧ୍ୟ କଂଗ୍ରେସ ନେତାଙ୍କୁ ଏଥିପାଇଁ ଅନୁରୋଧ କଲେ। ମାତ୍ର ସେମାନେ ରାଜି ନ ହେବାରୁ। ଫଜ୍ଲୁଲ୍ ହକ ମୁଖ୍ୟମନ୍ତ୍ରୀ ରହି ମୁସଲିମ୍ ଲିଗ୍ ସହିତ ମେଣ୍ଟ ସରକାର ଗଠନ କଲେ। ମୁସଲିମ୍ ଲିଗ୍ ଏହାର ସୁଯୋଗ ନେଇ ଚାରିଆଡ଼େ ହିନ୍ଦୁଙ୍କ ଉପରେ ଦମନ ଲୀଳା ଚଳାଇଲା. ଜଣେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଭାବେ ହକ ଅସହାୟ ହୋଇ ପଡ଼ିଲେ। ହିନ୍ଦୁ ମହିଳାମାନଙ୍କୁ ବଳତ୍କାର କରାଗଲା, ବ୍ରିଟିଶ ଅଫିସରମାନଙ୍କ ପ୍ରେରଣାରେ ହିନ୍ଦୁମାନଙ୍କ ଘର ଜାଳି ଦିଆଗଲା। ଅସହାୟ ହିନ୍ଦୁମାନଙ୍କର ଆର୍ତ୍ତ ଚିତ୍କାରରେ ବଙ୍ଗ ଆକାଶ ପ୍ରକମ୍ପିତ ହୋଇ ଉଠିଲା l କଂଗ୍ରେସ ନେତାମାନଙ୍କୁ ମୁଖାର୍ଜୀ ପ୍ରାର୍ଥନା କଲେ ବି ସେମାନେ ଚୁପ୍ ରହିଲେ l ମୁଖାର୍ଜୀ ସାରା ବଙ୍ଗପ୍ରଦେଶ ଗସ୍ତ କରି ହିନ୍ଦୁମାନଙ୍କୁ ସଙ୍ଗଠିତ କଲେ, ନିଜ ଜୀବନକୁ ବିପନ୍ନ କରି ଉପଦ୍ରୁତ ଅଞ୍ଚଳମାନଙ୍କୁ ଗଲେ। ବିଧାନ ପରିଷଦରେ ଶାଣିତ ସ୍ୱରରେ ସରକାରଙ୍କୁ ସମାଲୋଚନା କଲେ। ଗଭର୍ଣ୍ଣରଙ୍କ ସହିତ ତାଙ୍କର ଶାଣିତ ବାର୍ତ୍ତାଳାପ ପ୍ରଣିଧାନ ଯୋଗ୍ୟ। ସେ ବୁଝିଗଲେ ଏ ସରକାରଠାରୁ ନ୍ୟାୟ ଆଶା କରିବା ବୃଥା। ଏତିକିବେଳକୁ ଗଭର୍ଣ୍ଣର ସରକାର ଭାଙ୍ଗି ଦେଲେ। ଶ୍ୟାମାପ୍ରସାଦ ଜୀ ଙ୍କର ଅକ୍ଳାନ୍ତ ଉଦ୍ୟମ ଫଳରେ, ଲିଗ୍ ବିରୋଧୀ ଅଧିକାଂଶ ସଦସ୍ୟ ଦସ୍ତଖତ କରି ହକଙ୍କୁ ସମର୍ଥନ କରୁଛନ୍ତି ବୋଲି Governer ଙ୍କୁ ଦେଲେ l

ଫଳରେ ହିନ୍ଦୁ ମହାସଭା ଓ ପ୍ରଜା ପରିଷଦର ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହେଲା। ଶ୍ୟାମା ପ୍ରସାଦ ମୁଖାର୍ଜୀ ଜଣେ ବରିଷ୍ଠ ମନ୍ତ୍ରୀ ଭାବେ ଯୋଗ ଦେଲେ। ସରକାରଙ୍କର ତୃଟିପୂର୍ଣ୍ଣ ନୀତି କାରଣରୁ ଭୟଙ୍କର ଦୁର୍ଭିକ୍ଷ ଆସିଲା। ମେଦିନୀପୁରରେ ସୁନାମୀ କାରଣରୁ ବହୁ ଧନଜୀବନ ନଷ୍ଟ ହେଲା। ସରକାର ଲୋକଙ୍କୁ ମରିବା ପାଇଁ ଛାଡ଼ିଦେଲେ। ଲୋକଙ୍କ ଘରେ ପ୍ରଚୁର ଖାଦ୍ୟ ଶସ୍ୟ ଅଛିବୋଲି ଗଭର୍ଣ୍ଣର ରିପୋର୍ଟ ଦେଲେ। ଅନେକ ଦିନ ପର୍ଯ୍ୟନ୍ତ ଏହାକୁ ଚପାଇ ଦିଆଗଲା। ବିଧାନ ପରିଷଦ ଭିତରେ ଓ ବାହାରେ ଶ୍ୟାମାପ୍ରସାଦ ଗର୍ଜନ କଲେ। ଦିନ ରାତି ସେ ସରକାରଙ୍କର ଦୋଷ ଦୁର୍ବଳତାକୁ ଜନତାଙ୍କ ସାମ୍ନାକୁ ଆଣିଲେ ଓ ବିଶ୍ୱବାସୀଙ୍କୁ ଜଣାଇଲେ l ନିଜେ ରିଲିଫ୍ କ୍ୟାମ୍ପର ଆୟୋଜନ କଲେ l ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କୁ ସହାୟତା ଦିଆଗଲା। ସରକାରଙ୍କର ଗୋଇନ୍ଦା ବିଭାଗ ରିପୋର୍ଟ କଲେ ଯେ ଏହି ଦୁର୍ଦ୍ଦିନରେ ଏକମାତ୍ର ରାଜନୈତିକ ଦଳ ହିନ୍ଦୁ ମହାସଭା ଓ ତାର ନେତା ଶ୍ୟାମାପ୍ରସାଦ ଲୋକଙ୍କ ପାଖରେ ଥିଲେ l ଗୋଟିଏ ଘଟଣାରୁ ଶ୍ୟାମାପ୍ରସାଦ ଜୀ ଙ୍କର ଦରଦି ହୃଦୟର ପ୍ରମାଣ ମିଳେ l ତାଙ୍କର ସାନ ଝିଅ ଆରତିର ବାହାଘର ହେଉଥିଲା। ଶ୍ୟାମାପ୍ରସାଦ ଜୀ ଙ୍କୁ ଖୋଜାଗଲା, ସେ ମିଳିଲେ ନାହିଁ। ଅନ୍ୟ ଜଣେ କନ୍ୟାଦାନ କଲେ। ସକାଳେ ସେ ଫେରିବା ପରେ ଝିଅ ଅଭିମାନରେ କହିଲା, ମୁଁ ରାଗିଛି, ଆପଣଙ୍କ ସହ କଥା ହେବି ନାହିଁ।‌ ମୁଖାର୍ଜୀ କହିଲେ, ତୁ ଏପରି କହିବା ଉଚିତ୍ ନୁହେଁ, ତୁ ଶ୍ୟାମାପ୍ରସାଦ ମୁଖାର୍ଜୀର ଝିଅ l ଦୁର୍ଭିକ୍ଷଗ୍ରସ୍ତ ଭୋକିଲା ଲୋକଙ୍କୁ କାଲି ଖୁଆଇ ଥିଲି। ଏଠି ତ ଜଣେ କିଏ କନ୍ୟାଦାନ କଲା।‌ ମାସ ମାସ ଧରି ଖାଦ୍ୟ ଦେଖି ନଥିବା ଲୋକଙ୍କ ମୁହଁରେ ଖାଦ୍ୟ ଦେଖି ଯେଉଁ ଆନନ୍ଦ ତାହା ତୁ ଅନୁଭବ କରିପାରିବୁ ନାହିଁ। ପର ଦୁଃଖ କାତର ଏହି ହୃଦୟ ହିଁ ତାଙ୍କର ଅସଲ ପରିଚୟ। ସେ ଥରେ କାନ୍ଦି କାନ୍ଦି କହୁଥିଲେ, ଜଣେ ଲୋକ ରାସ୍ତାରେ ମରିଯାଇଥିଲାତାର ଶବ ବ୍ୟବଛେଦ ପରେ ତାର ପେଟରେ ବାଲି ଭର୍ତ୍ତି ହୋଇଥିବାର ଦେଖାଗଲା। ଭୋକ ଦାଉରେ ସେ ବାଲି ଖାଇ ଦେଇଛି। ଏଥିରୁ ବ୍ରିଟିଶ ବର୍ବରତାର ପ୍ରମାଣ ମିଳେ। Governer ଏହି ସରକାରଙ୍କୁ ଚଳାଇ ନଦେବା ପାଇଁ ଦୃଢ଼ ନିଶ୍ଚୟ କରିଥିଲେ। ଏଣୁ ଶ୍ୟାମାପ୍ରସାଦଙ୍କର ସେକ୍ରେଟାରୀ ଥିବା ଜଣେ ବ୍ରିଟିଶ ICS ଅଫିସରଙ୍କୁ କେନ୍ଦ୍ରୀୟ ପ୍ରତିନିଧି ଭାବେ ତାଙ୍କର ମତାମତର ତର୍ଜମା କରିବାର ଅଧିକାର ଦିଆଗଲା। ସେ ଏହାର ପ୍ରଚଣ୍ଡ ପ୍ରତିବାଦ କଲେ। ଅବଶେଷରେ ସେ ବାଧ୍ୟ ହୋଇ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଓ ପୂର୍ଣ୍ଣ ବଙ୍ଗ ପ୍ରଦେଶ ବୁଲି ବୁଲି ରିଲିଫ କାମ ଚଳାଇଲେ। ଅବଶେଷରେ ପ୍ରଚଣ୍ଡ ଚାପ ଫଳରେ ସରକାର ରିଲିଫ ନାମରେ ଦୁଇ କୋଟି ଟଙ୍କା ମୁସଲିମ୍ ଲିଗ ର ଜଣେ ସମର୍ଥକଙ୍କୁ ରିଲିଫ ସାମଗ୍ରୀ କିଣିବା ପାଇଁ ବିନା କାଗଜପତ୍ରରେ ଦେଲେ, ଯାହାର ସିଂହ ଭାଗ ମୁସଲିମ୍ ଲିଗ ଫଣ୍ଡକୁ ଗଲା। ଡକ୍ଟର ମୁଖାର୍ଜୀ ଏହାର ତୀବ୍ର ବିରୋଧ କଲେ ଓ ସରକାର, ଗଭର୍ଣ୍ଣର କିଛି ଜବାବ ଦେଇ ପାରିଲେ ନାହିଁ। ଗଭର୍ଣ୍ଣର ହକ ଙ୍କୁ ବାଧ୍ୟ କରି ଇସ୍ତଫା ଦିଆ କରାଇ ପୁଣି ମୁସଲିମ୍ ଲିଗ୍ ମନ୍ତ୍ରୀମଣ୍ଡଳ କରାଇଲେ। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ରାଜନୀତି ରେ ପ୍ରବେଶ କରିବା ପାଇଁ ସ୍ଥିର କଲେ l ଦେଶବ୍ୟାପି ହିନ୍ଦୁ ମହାସଭା ର ସଭା ସମିତି କଲେ l ଦେଶ ସ୍ୱାଧୀନ ହେଲା। ଗାନ୍ଧିଜୀଙ୍କ ପରାମର୍ଶରେ ନେହେରୁ ଙ୍କ ଅନିଚ୍ଛା ସତ୍ୱେ।

ସେ ମନ୍ତ୍ରୀ ଭାବେ ଯୋଗ ଦେଲେ, ଜଣେ ସୁଦକ୍ଷ, ଓ ଦୂରଦୃଷ୍ଟି ସମ୍ପନ୍ନ ମନ୍ତ୍ରୀ ଭାବେ ସେ ନିଜକୁ ପ୍ରମାଣିତ କଲେ। ସ୍ୱାଧୀନତା ପୂର୍ବରୁ ସେ ଦେଶ ବିଭାଜନକୁ ତୀବ୍ର ବିରୋଧ କଲେ। ଗାନ୍ଧୀ, ନେହେରୁ, ପଟେଲ ଆଦି ବିଭାଜନ କରିବାକୁ ଦେବେ ନାହିଁ ବୋଲି ଦେଶବାସୀଙ୍କୁ ଆଶ୍ୱସ୍ତ କରିଥିଲେ। ଯେତେବେଳେ ଗାନ୍ଧୀ ଜିନାଙ୍କୁ ଆଲୋଚନା ପାଇଁ ଡାକିଲେ, ଓ ମୁଖାର୍ଜୀ ତାଙ୍କୁ ବାରମ୍ବାର ନିବେଦନ କଲେ, ଏହା ନ କରିବା ପାଇଁ। ଉପରେ ଦୃଢ଼ତା ଦେଖେଇଲେ, ବି ଏମାନେ ଭିତରେ ବିଭାଜନ ପ୍ରସ୍ତାବକୁ ମାନିସାରିଥିଲେ ଜାଣିବା ପରେ ମୁଖାର୍ଜୀ ବିଚଳିତ ହୋଇ ପଡ଼ିଲେ, ଓ ଦେଶବ୍ୟାପୀ ବିଭାଜନ ବିରୋଧରେ ଜନମତ ସୃଷ୍ଟି ପାଇଁ ଲାଗି ପଡ଼ିଲେ।‌ ସମ୍ପୂର୍ଣ୍ଣ ବଙ୍ଗ, ଆସାମ, ସିନ୍ଧୁ, ପଞ୍ଜାବ କୁ ନେବା ପାଇଁ ଜିନା ଦାବି କଲେ। ମାତ୍ର ଡକ୍ଟର ମୁଖାର୍ଜୀଙ୍କର ତୀବ୍ର ବିରୋଧ କାରଣରୁ ବଙ୍ଗ ବିଭାଜିତ ହୋଇ ହିନ୍ଦୁ ବହୁଳ ଅଞ୍ଚଳ ପଶ୍ଚିମବଙ୍ଗ ନାମରେ ଭାରତରେ ରହିଲା, ଓ ଆସାମ ପୂରା ରହିଗଲା. ପଞ୍ଜାବର ବିରାଟ ଭୁଖଣ୍ଡ ଭାରତରେ ରହିଲା. ଥରେ ନେହେରୁଙ୍କୁ ସେ କହିଥିଲେ, “You divided India”, I divided Pakistan। ଥରେ ପାର୍ଲାମେଣ୍ଟରେ ଯୁକ୍ତି ତର୍କ ଛଳରେ ନେହେରୁ ରାଗିଯାଇ ତାଙ୍କୁ କହିଲେ, I will Crush you, ଡକ୍ଟର ମୁଖାର୍ଜୀ ଉତ୍ତର ଦେଲେ, we will crush this crushing mentality। ତାଙ୍କର ଏହି ସାହସରେ ସମସ୍ତେ ସ୍ତବ୍ଧ ହୋଇଥିଲେ ଓ ତାଙ୍କ ଭିତରେ ଭାରତର ଭାବି ପ୍ରଧାନମନ୍ତ୍ରୀଙ୍କୁ କେହି କେହି ଦେଖିଥିଲେ। ଭାରତର ସ୍ୱାଧୀନତା ସହିତ ଦେଶର ବିଭାଜନ ହୋଇଗଲା. ପାକିସ୍ତାନରେ ହିନ୍ଦୁମାନଙ୍କୁ ବଳପୂର୍ବକ ଧର୍ମାନ୍ତରଣ, ହତ୍ୟା, ଲୁଣ୍ଠନ, ଓ ମହିଳାମାନଙ୍କୁ ଅତ୍ୟାଚାର କରାଗଲା। ଭାରତ ସରକାର ଉଦାସୀନ ରହିଲେ। ଡକ୍ଟର ମୁଖାର୍ଜୀ, ନେହେରୁ, ଗାନ୍ଧୀ ସମସ୍ତଙ୍କୁ ନିବେଦନ କରି ବ୍ୟର୍ଥ ହେଲେ। ନେହେରୁ ଲିଆକତ ଅଲିକୁ ବାରମ୍ବାର ଡକାଇ ନିରର୍ଥକ ଚୁକ୍ତି କରିବାରୁ, ସେ ତାକୁ ବିରୋଧ କରିବା ସହିତ ହିନ୍ଦୁମାନଙ୍କର ସୁରକ୍ଷା ଦାୟିତ୍ୱ ନେବା ପାଇଁ ନେହେରୁଙ୍କୁ କହିଲେ, ମାତ୍ର ନେହେରୁ ଏଥିରେ କର୍ଣ୍ଣପାତ କଲେ ନାହିଁ। ଶେଷରେ ଏହି ସରକାରରେ ରହି ଯଦି ଲୋକଙ୍କୁ ନ୍ୟାୟ ଦିଆଯାଇ ପାରୁନି ତେବେ କାହିଁକି ରହିବେ ଏପରି ବିଚାର କଲେ। ନେହେରୁ ଲିଆକତ ଚୁକ୍ତିର ଅବ୍ୟବହିତ ପୂର୍ବରୁ ସେ ମନ୍ତ୍ରୀମଣ୍ଡଳରୁ ତ୍ୟାଗପତ୍ର ଦେବା ପାଇଁ ନିଜ ଇଚ୍ଛା ଜଣାଇଲେ । ନେହେରୁ ବିନା ଦ୍ୱିଧାରେ ରାଜି ହେଲେ। ତା’ପରେ ସେ ନିଜର ତ୍ୟାଗପତ୍ର ନେହେରୁଙ୍କୁ ପଠାଇଥିଲେ ଓ ତାହା ଗ୍ରୁହୀତ ହେଲା। ଏହାପରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତତ୍କାଳୀନ ସରସଂଘ, ଚାଳକ, ପରମ ପୂଜନୀୟ ଶ୍ରୀଗୁରୁଜୀ ମାଧବ ସଦାଶିବ ଗୋଲୱାଲକର ଓ ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟି ଭାରତର ଭବିଷ୍ୟତ ବିଷୟରେ ମତ ବିନିମୟ କଲେ‌। ଏହାପରେ ୧୯୫୧ ମସିହାରେ ଭାରତୀୟ ଜନସଂଘ ନାମରେ ଏକ ରାଷ୍ଟ୍ରୀୟ ଦଳ ଗଠିତ ହେଲା ଓ ସର୍ବସମ୍ମତି କ୍ରମେ ତାହାର ପ୍ରତିଷ୍ଠାତା ସଭାପତି ହେଲେ। ସେ ପୁଣି ଭାରତୀୟ ଜନସଂଘ ଟିକେଟରେ ପାର୍ଲାମେଣ୍ଟକୁ ନିର୍ବାଚିତ ହେଲେ। ବିରୋଧୀ ଦଳମାନଙ୍କୁ ଏକଜୁଟ କରି ସେ ନେହେରୁ ସରକାରଙ୍କୁ କଡ଼ା ଚୁନୌତି ଦେଲେ। ସେତେବେଳେ ଓ ଅସାମ୍ବିଧାନିକ ଭାବେ ୩୭୦ ଓ ୩ ୫କ ଧାରା ଦ୍ୱାରା କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଥିଲା। କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା। ତାଙ୍କର ଅଲଗା ସମ୍ବିଧାନ ଥିଲା, ଅଲଗା ଜାତୀୟ ପତାକା ଥିଲା। ସେଠାକୁ ଯିବା ପାଇଁ ଭାରତ ସରକାରଙ୍କର ପର୍ମିଟ ଦରକାର ହେଉଥିଲା। ଡକ୍ଟର ମୁଖାର୍ଜୀ ଏହାର ତୀବ୍ର ପ୍ରତିବାଦ କଲେ। କାଶ୍ମୀରରେ ପ୍ରଜା ପରିଷଦର ଆନ୍ଦୋଳନ ପ୍ରାୟ ୬ ମାସ ଧରି ଚାଲିଥିଲା ଓ ୨୫୦୦ ରୁ ଅଧିକ ଲୋକ ଗିରଫ ହୋଇ ନିର୍ଜାତନା ସହୁଥିଲେ।‌ ପ୍ରାୟ ୩୦ ଲୋକ ପୋଲିସର ଗୁଳିରେ ମରିଥିଲେ। ଡକ୍ଟର ମୁଖାର୍ଜୀ ଜାମୁକାଶ୍ମୀରକୁ ବିନା ପର୍ମିଟରେ ଯିବା ପାଇଁ ସ୍ଥିର କଲେ।‌ ସେ ଯିବା ପୂର୍ବରୁ ଭାରତ ସେବା ଶ୍ରମ ସଂଘର ପ୍ରତିଷ୍ଠାତା ସ୍ୱାମୀ ପ୍ରଣବାନନ୍ଦଙ୍କୁ ଭେଟିଲେ।‌ ସେ ତାଙ୍କୁ ଯିବା ପାଇଁ ମନା କଲେ. ସେ ତାଙ୍କ ମା’ଙ୍କୁ ଭେଟିଲେ ଓ ପ୍ରଣାମ କରି ବିଦାୟ ନେଲେ. ସୁଚେତା କୃପାଳିନୀ ତାଙ୍କୁ ଭେଟି କାଶ୍ମୀର ନ ଯିବା ପାଇଁ ଅନୁରୋଧ କଲେ ଓ କହିଲେ ନେହେରୁ ତାଙ୍କୁ ଫେରିବାକୁ ଦେବ ନାହିଁ। ମାତ୍ର ସେ ଯିବା ପାଇଁ ଦୃଢ଼ ନିର୍ଣ୍ଣୟ କରିଥିଲେ । ସେ ନେହେରୁଙ୍କୁ ଚିଠି ଲେଖିଥିଲେ “ଆପଣତ କାଶ୍ମୀରକୁ ଭାରତର ଅଭିଛେଦ୍ୟ ଅଙ୍ଗ ବୋଲି କହୁଛନ୍ତି ତା’ହେଲେ ଦେଶର ଗୋଟିଏ ଅଂଶରୁ ଆଉ ଗୋଟିଏ ଅଂଶକୁ ଯିବା ପାଇଁ କାହାର ଅନୁମତି ଦରକାର” ? ସେ ଗଲେ। 1953,ମସିହା ମସିହା 8 ମଇ ଦିନ ସେ ଗୁରୁଦତ୍ତ ବୈଦ୍ୟ, ଅଟଳ ବିହାରୀ ବାଜପେୟୀ, ଟେକଚାନ୍ଦ, ବଳରାଜ ମାଧବ, ଓ ଅନ୍ୟ କେତେକ ସହକର୍ମୀଙ୍କ ସହ ପଞ୍ଜାବ ପର୍ଯ୍ୟନ୍ତ ଯାତ୍ରା କଲେ। ରାସ୍ତାରେ ବିଭିନ୍ନ ଷ୍ଟେସନରେ ଭବ୍ୟ ସ୍ୱାଗତ ଓ ଭାଷଣ ଆଦି ହେଲା। ରବି ନଦୀ ଉପରେ ମାଧୋପୁର ଚେକପୋଷ୍ଟ ନିକଟରେ ପୋଲର ମଝିରେ କାଠୁଆ ଜିଲ୍ଲାର SP ତାଙ୍କୁ ଗିରଫ ନୋଟିସ୍ ଧରାଇଲେ ଓ ତାଙ୍କୁ ଜେଲ୍ କୁ ନିଆଗଲା। ଡକ୍ଟର ମୁଖାର୍ଜୀ ବାଜପେୟୀଙ୍କୁ କହିଲେ, ଯାଇକରି ସାରା ଦୁନିଆକୁ ଜଣେଇ ଦିଅ ଯେ ମୁଖାର୍ଜୀ ବିନା ପରମିଟ୍ କାଶ୍ମୀର ମାଟିରେ ପାଦ ରଖିଛି। ସେ ତ ଜଣେଇ ଦେଲେ, ମାତ୍ର ମୁଖାର୍ଜୀ ଆଉ ଫେରିଲେ ନାହିଁ, ତାଙ୍କର ଶବ ଫେରିଲା l ସେଣ୍ଟ୍ରାଲ ଜେଲ୍ ରୁ ତାଙ୍କୁ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ଗୋଟିଏ ପାହାଡ଼ ଉପରେ ଥିବା କୁଟୀରକୁ ନିଆଗଲା। ତାଙ୍କର ପାଦର ଯନ୍ତ୍ରଣା ସତ୍ତ୍ୱେ ପାହାଡ଼ ଉପରକୁ ଚଲାଇ ଚଲାଇ ନିଆଗଲା। ସେଠାରେ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆ ଯାଇଛି। ବିନା ପରମିଟ ଯାଇଥିଲେ ବୋଲି ତାଙ୍କୁ ଗିରଫ କରାଯାଇନି। କାରଣ ତାଙ୍କୁ ତ ଭାରତ ସରକାର ପରମିଟ୍ ଦେବା କଥା, ଭାରତରେ ଗିରଫ କରାଗଲାନି ଏଥିପାଇଁ ଯେ ଏଠାରେ ତାଙ୍କୁ କୋର୍ଟରୁ ଜାମିନ ମିଳିଯାଇଥାନ୍ତା। ମାତ୍ର କାଶ୍ମୀରରେ ଗିରଫ କରିବାର ଅର୍ଥ ହେଉଛି ସେଠାରେ ଭାରତର ସୁପ୍ରିମ କୋର୍ଟର ରାୟ ଚାଲିବନି. ଏଣୁ ଜାମିନ ପାଇବେ ନାହିଁ। ତାହାହିଁ ହେଲା, ଶ୍ୟାମା ପ୍ରସାଦ ଜୀ ଙ୍କର ବାରଣ ସତ୍ତ୍ୱେ ତାଙ୍କୁ ବିପଦ ଜନକ ଇଞ୍ଜେକ୍ସନ ଦିଆଗଲା ଓ ଅବଶେଷ ରେ ଜୁନ ୨୩ ତାରିଖ (1953) ମସିହାରେ ତାଙ୍କର ହସ୍ପିଟାଲ ରେ ମୃତ୍ୟୁ ହେଲା।

ଜଣେ ମହାନ ଦେଶଭକ୍ତ ଓ ଜନନାୟକଙ୍କୁ ଏପରି ଅସ୍ଵାସ୍ଥ୍ୟକର ପରିବେଶରେ ନାରକୀୟ ଯନ୍ତ୍ରଣା ଦେଇ ଶେଷରେ ମାରିଦିଆଗଲା ବୋଲି ଅଧିକାଂଶ ଲୋକ ବିଶ୍ୱାସ କରନ୍ତି। ମୁଁ ମଧ୍ୟ ବିଶ୍ୱାସ କରେ। ନେହେରୁ ମଝିରେ କାଶ୍ମୀର ବୁଲିବାକୁ ଗଲେ, ଶ୍ୟାମା ପ୍ରସାଦଜୀଙ୍କୁ ଜେଲରେ ଭେଟିବା ପରି ସୌଜନ୍ୟ ଦେଖାଇ ନାହାନ୍ତି। ତାଙ୍କର ମାଆଙ୍କର ଆକୁଳ ନିବେଦନ ସତ୍ତ୍ବେ ଏ ଏହି ଘଟଣାଟି ତଦନ୍ତ କରାଇଦେଲେ ନାହିଁ। ନେହେରୁ ଶେଖ ଅବଦୁଲାହ ଭିତରେ କୌଣସି ଗୁପ୍ତ ବୁଝାବଣା ହୋଇଥିଲା ବୋଲି ଆମର ସନ୍ଦେହ ଆଜି ବି ଅଛି। ୫୨ ବର୍ଷର ସଂକ୍ଷିପ୍ତ, କିନ୍ତୁ ପ୍ରଭାବୀ ଜୀବନ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉକ୍ତି, “ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ”, ର ଯଥାର୍ଥ ଉଦାହରଣ ହେଉଛି ତାଙ୍କର ପ୍ରେରଣାଦାୟକ ଜୀବନ।‌ ତାଙ୍କର ସ୍ୱପ୍ନ ଚରିତାର୍ଥ କଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁ କାଶ୍ମୀରର ଭାରତରେ ବିଲୟ ପାଇଁ ତାଙ୍କର ବଳିଦାନ ହୋଇଥିଲା, ୩୭୦ ୩୫ (କ) ଦୃଢ଼ତା ପୂର୍ବକ ହଟାଇ କାଶ୍ମୀରର ବିଲୟକୁ ଚୂଡ଼ାନ୍ତ କରି ମାନ୍ୟବର ମୋଦୀଜୀ ଓ ମାନ୍ୟବର ଅମିତ୍ ଶାହା, ଶ୍ୟାମା ପ୍ରସାଦଙ୍କ ସମେତ ସମସ୍ତ ବଳିଦାନୀମାନଙ୍କର ଅମର ଆତ୍ମାକୁ ଶାନ୍ତି ପ୍ରଦାନ କଲେ। ଶ୍ୟାମା ପ୍ରସାଦ ଆଜି ଅମର ହୋଇଯାଇଛନ୍ତି। ତାଙ୍କର ଜୀବନରୁ ଆମେ ପ୍ରେରଣା ସଂଗ୍ରହ କରିବା ଆବଶ୍ୟକ। ଏତିକି କୁହାଯାଇପାରେ, “ମରି ନାହିଁ ସେ ତ, ମରି ତ ପାରେ ନା, ସିଏ ତ ମୃତ୍ୟୁଞ୍ଜୟୀ, ଜନମ ତାହାର ମରଣ ଉପରେ ବିଜୟ ଲଭିବା ପାଇଁ”।