ରାହୁଲ ଗାନ୍ଧିଙ୍କ ବୟାନରେ ଅସନ୍ତୁଷ୍ଟ ସାଭରକରଙ୍କ ନାତି କଲେ ପୋଲିସ କମ୍ପ୍ଲିଆଣ୍ଟ

ମୁମ୍ବାଇ ୧୭।୧୧: ହିନ୍ଦୁତ୍ୱ ବିଚାରକ ବିନାୟକ ଦାମୋଦର ସାଭରକରଙ୍କ ନାତି ରଞ୍ଜିତ ସାଭରକର ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଛନ୍ତି। ଏଥିରେ ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ କଥିତ ‘ଅପମାନ’ କରିଥିବା ନେଇ ସାଭରକରଙ୍କ ନାତି ଅଭିଯୋଗ କରିଛନ୍ତି। ସ୍ଥାନୀୟ ଶିବାଜୀ ପାର୍କ ଥାନାରେ ରଞ୍ଜିତ ସାଭରକର କରିଥିବା ଲିଖିତ ଅଭିଯୋଗରେ ଏପରି ବୟାନବାଜୀ ଲାଗି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା ରୁଜୁ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି।

ରଞ୍ଜିତ ସାଭରକରଙ୍କ ଅଭିଯୋଗ ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ମାମଲାରେ ଏଫଆଇଆର ହୋଇ ନଥିବା କହିଛନ୍ତି। ରାହୁଲ ଗାନ୍ଧି ତାଙ୍କ ଭାରତ ଯୋଡୋ ଯାତ୍ରାରେ ଗୁରୁବାର ଇଂରେଜଙ୍କୁ ସାଭରକରଙ୍କ ପତ୍ରର ଶେଷ ଅଂଶ ସାର୍ବଜନିକ ସଭାରେ ପଢିଥିଲେ। ଯେଉଁଥିରେ ସାଭରକର ଇଂରେଜଙ୍କୁ ସହାୟତା କରିଥିବା ତଥା ମନ ଭିତରେ ଥିବା ଡର ଯୋଗୁ କ୍ଷମା ନିବେଦନ କରିଥିବା ରାହୁଲ କହିଥିଲେ।