‘ଆପ୍’ ନେତା ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟଙ୍କ ଝଟକା, ମନିଲଣ୍ଡ୍ରିଂ ମାମଲାରେ ମିଳିଲାନି ଜାମିନ

ନୂଆଦିଲ୍ଲୀ ୧୭।୧୧: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ କୋର୍ଟ ଝଟକା । ମନିଲଣ୍ଡ୍ରିଂ ମାମଲାରେ କୋର୍ଟ ତାଙ୍କ ଜାମିନ ନିବେଦନ ଅଗ୍ରାହ୍ୟ କରିଦେଇଛନ୍ତି। ଗୁରୁବାର ରାଉଜ ଏଭେନ୍ୟୁ କୋର୍ଟ ଜୈନ ଓ ଅନ୍ୟ ଦୁଇଜଣଙ୍କ ଜାମିନ ନିବେଦନ ଆଗତ ହୋଇଥିଲା। ତେବେ କୋର୍ଟ ସମସ୍ତଙ୍କ ଜାମିନ ଅଗ୍ରାହ୍ୟ କରିଦେଇଛନ୍ତି। ମାମଲାରେ ଜୈନଙ୍କ ସହ ବୈଭବ ଓ ଅଙ୍କୁଶ ଜୈନ ମଧ୍ୟ ଅଭିଯୁକ୍ତ ଅଛନ୍ତି। ଜୈନଙ୍କ ସହ ସେମାନଙ୍କ ଜାମିନ ନିବେଦନ ମଧ୍ୟ ଖାରଜ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମେ ୩୦ ତାରିଖ ଦିନ ଗିରଫ କରିଥିଲେ। ପିଏମଏଲଏ ଆକ୍ଟ ଅନୁସାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ କୋର୍ଟରୁ ତାଙ୍କୁ ଜାମିନ ମିଳିପାରୁ ନଥିବାରୁ ତାଙ୍କ ସମସ୍ୟା ବଢିବଢି ଚାଲିଛି। ଜୈନ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି ଓ ତାଙ୍କୁ ବିଚାରବିଭାଗୀୟ ହାଜତରେ ରଖା ଯାଇଛି। ଗୁରୁବାର ଅପରାହ୍ନ ୨ଟା ବେଳେ କୋର୍ଟ ତାଙ୍କ ଜାମିନ ନିବେଦନର ଶୁଣାଣି କରିଥିଲେ।