ମେଟା ଇଣ୍ଡିଆର ନୂଆ ମୁଖ୍ୟ ହେବେ ସନ୍ଧ୍ୟା ଦେବନାଥ

ନୂଆଦିଲ୍ଲୀ, ୧୭/୧୧: ଲୋକପ୍ରିୟ ସୋସିଆଲ୍‌ ମିଡିଆ କମ୍ପାନୀ ମେଟା କିଛିଦିନ ଧିରି କର୍ମଚାରୀଙ୍କୁ ଛଟେଇ ନେଇ ଚର୍ଚ୍ଚାରେ ରହିଛି । ନିକଟରେ କମ୍ପାନୀର ଭାରତ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ଅଜିତ୍‌ ମୋହନ । ତାଙ୍କ ପରେ ଏହି ଦାୟିତ୍ୱ କାହାକୁ ମିଳିବ ସେ ନେଇ ଆଲୋଚନା ହେଉଥିବା ବେଳେ ସନ୍ଧ୍ୟା ଦେବନାଥଙ୍କୁ ଏହାର ମୁଖ୍ୟ ହେବା ନେଇ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟାଙ୍କୁ କମ୍ପାନୀର ଉପ-ସଭାପତି ମଧ୍ୟ କରାଯାଇଛି । ମେଟାର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ମାର୍ନେ ଲେୱାଇନ୍‌ ଏନେଇ କହିଛନ୍ତି ଯେ ଭାରତରେ ଏବେ ମେଟା ଦୃତଗତିରେ କାରବାର କରୁଛି । ଏହି ସମୟରେ ଆମେ ସନ୍ଧ୍ୟାଙ୍କୁ ସ୍ୱାଗତ କରୁଛୁ । ସନ୍ଧ୍ୟା ଭାରତରେ ବାଣିଜ୍ୟିକ ବିସ୍ତାର କରିବା, ସମସ୍ତଙ୍କ ସହଭାଗିତାରେ କାର୍ଯ୍ୟ କରିବା ଭଳି ଟିମ୍‌ ପ୍ରସ୍ତୁତ କରିବା ଏବଂ ପ୍ରଡକ୍ଟରେ ଉନ୍ନତି ସହିତ ଭାଗିଦାରୀକୁ ମଜବୁତ୍‌ କରିବା ଦିଗରେ ନିଜକୁ ପ୍ରମାଣିତ କରିଛନ୍ତି । ତେଣୁ ଆମେ ଭାରତରେ ତାଙ୍କୁ ଦାୟିତ୍ୱ ଦେବା ପାଇଁ ଉତ୍ସାହିତ ଥିବା ସେ କହିଛନ୍ତି ।

ତେବେ ଏହି ସନ୍ଧ୍ୟା ଦେବନାଥ କିଏ ? ସନ୍ଧ୍ୟା ୨୦୧୬ ମସିହାରୁ ମେଟାରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ ସିଙ୍ଗାପୁର ଏବଂ ଭିଏତ୍‌ନାମରେ ବାଣିଜ୍ୟିକ ଟିମ୍‌ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ । ଦକ୍ଷିଣ-ପୂର୍ବ ଏସିଆରେ ମେଟାର ଇ-କମର୍ଶ ଇନିସିଏଟିଭ୍‌ରେ ସେ ମଧ୍ୟ ସହାୟତା କରିଥିଲେ । ସନ୍ଧ୍ୟା ଦେବନାଥଙ୍କ ପାଖରେ ବ୍ୟାଙ୍କିଂ, ପେମେଣ୍ଟସ୍‌ ଏବଂ ଟେକ୍ନୋଲୋଜିରେ ୨୨ ବର୍ଷର ଆନ୍ତର୍ଜାତିକ ଅନୁଭବ ରହିଛି ।

କମ୍ପାନୀ ଏନେଇ କହିଛି ଯେ ସନ୍ଧ୍ୟା ଦେବନାଥ ୨୦୨୦ରେ ଏପିଏସିରେ ଗେମିଂକୁ ଲୋଡ୍‌ କରିଥିଲେ । ଯାହାକି ଗ୍ଲୋବାଲ୍‌ ମାର୍କେଟ୍‌ରେ ମେଟା ବିଜ୍‌ନେସ୍‌ର ଏକ ବଡ଼ ଅଂଶ । ତେବେ ଭାରତର ମୁଖ୍ୟ ଭାବେ ସନ୍ଧ୍ୟା ୧ ଜାନୁଆରୀ ୨୦୨୩ ରୁ ଦାୟିତ୍ୱ ଗ୍ରହଣ କରିବେ ।