ଡ୍ରାଇଭରଙ୍କ ସାହସିକତା ବଞ୍ଚାଇଲା ୪୦ ଯାତ୍ରୀଙ୍କ ଜୀବନ, ହାତୀ ଆକ୍ରମଣରୁ ବଞ୍ଚିବା ପାଇଁ ୮ କି.ମି. ପଛୁଆ ଚଳାଇଲେ ବସ

ନୂଆଦିଲ୍ଲୀ: ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଏବଂ ଏକ ସାହସିକତା ୪୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛି । ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ୮ କିଲୋମିଟର ପଛୁଆ ଗାଡି ଚଲାଇଥିଲେ ବସ ଡ୍ରାଇଭର । ଘଟଣାଟି ଘଟିଛି ତାମିଲନାଡୁର ତ୍ରିସୁର ଜିଲ୍ଲାରେ ।

ସୂଚନା ଅନୁସାରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଚଲାକୁଡି-ମଲାକ୍କାପାରା ରାସ୍ତାରେ ଗୋଟିଏ ବସ ଆଗକୁ ବଢୁଥିଲା । ଏହି ସମୟରେ ଗୋଟିଏ ଜଙ୍ଗଲୀ ହାତୀ ବସ ଆଗକୁ ଆସିଥିଲା । ପରେ ହାତୀଟି ବସ ଆଡକୁ ମାଡି ଆସିଥିଲା । ରାସ୍ତା ଅତି ସଂକୀର୍ଣ୍ଣ ଏବଂ ଅଣ ଓସାରିଆ ହୋଇଥିବାରୁ ଗାଡିକୁ ବୁଲାଇ ପାରି ନଥିଲେ ଡ୍ରାଇଭର । ତେବେ ଯାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ବସ ଡ୍ରାଇଭର ଅମ୍ୱୁକାସନ ନେଇଥିଲେ ଏକ ବଡ଼ ନିଷ୍ପତ୍ତି । ଏକ ସାହସୀ ପଦକ୍ଷେପ ନେଇ ବସକୁ ଆଠ କିମି ଯାଏ ପଛୁଆ ଚଲାଇଥିଲା।

ଅମ୍ୱୁକାସନ କହିଛନ୍ତି, ୧୯୯୪ ମସିହାରୁ ସେ ଏହି ରାସ୍ତାରେ ବସ ଚଲାଉଛନ୍ତି । ଅନେକଥର ଜଙ୍ଗଲୀ ଯନ୍ତୁଙ୍କ ସାମନା କରିଛନ୍ତି । କଲରାପତରିଆ ବାଘ ଏବଂ ଜଙ୍ଗଲୀ ହାତୀକୁ ମଧ୍ୟ ସାମନା କରିଛନ୍ତି । ପ୍ରାୟତଃ ସେମାନେ କିଛି ସମୟ ପରେ ଚାଲି ଯାଆନ୍ତି । କିନ୍ତୁ ଆଜି ଯାଏଁ ହତୀର ଆକ୍ରମଣରୁ ବଞ୍ଚିବା ପାଇଁ କେବେ ମଧ୍ୟ ଏତେ ଦୂର ପଛୁଆ ଚଲାଇ ନଥିଲି ।

ଅମ୍ୱୁକାସନ କହିଛନ୍ତି, ଦୀର୍ଘ ୨୮ ବର୍ଷ ଧରି ଏହି ରାସ୍ତାରେ ଗାଡି ଚଲାଇବାର ଅଭିଜ୍ଞତା ମୋତେ ଏହି ସାହସ ଦେଇଥିଲା । ବସ ଆଡକୁ ହାତୀ ମାଡି ଆସୁଥିଲା, ଏହା ଦେଖି ମଧ୍ୟ ଭୟଭିତ ହୋଇ ନଥିଲି । ନଚେତ ଯାତ୍ରୀଙ୍କ ଜୀବନ ବିପଦରେ ପଡିଥାନ୍ତା । ଗାଡିରେ ମହିଳା ଏବଂ ଶିଶୁଙ୍କୁ ମିଶାଇ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ହାତୀକୁ ଦେଖି କିଛି ଜଣ ଭୟରେ ଚିତ୍କାର କରିବା ମଧ୍ୟ ଆରମ୍ଭ କରିଥିଲେ ।