ଲଜ୍ଜାଜନକ ଘଟଣା: ଝିଅକୁ ଯୌନ ନିର୍ଯାତନା, ବନ୍ଧା ହେଲା ଶିକ୍ଷକ ବାପା

ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ

ବ୍ରହ୍ମପୁର, ୧୧/୦୭: ଗଞ୍ଜାମ ଜିଲ୍ଲାର ନିମଖଣ୍ଡି ଥାନା ଅଞ୍ଚଳର ନୋଚାପଡ଼ା ବାସୁଦେବ ନଗରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗତ ଦୁଇ ଦିନ ତଳେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିବା ଘଟଣାର ପର୍ଦ୍ଦାଫାଶ ହୋଇଛି।

ଖବର ଅନୁସାରେ, ଜଣେ ବିବାହିତା ମହିଳା ଆତ୍ମାହୁତି କରିବାକୁ ଚେଷ୍ଟା କରିଥିଲେ। ସେ ଗୁରୁତର ଭାବେ ପୋଡ଼ିଯାଇ ବର୍ତ୍ତମାନ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି କୁହାଯାଉଛି।

ତେଉଚିକିତ୍ସା ସମୟରେ ମହିଳା ନିଜ ବାପାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ପୋଲିସ ତାଙ୍କ ବୟାନ ରେକର୍ଡ କରିବା ସହ କିଛି ଚାଟ୍‌ (ମୋବାଇଲ ବାର୍ତ୍ତାଳାପ) ଭଳି ପ୍ରମାଣ ମଧ୍ୟ ଜବତ କରିଛି। ଏହି ଅଭିଯୋଗ ଓ ପ୍ରାରମ୍ଭିକ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି।

ମହିଳା ଜଣକ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ବିବାହ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ ବାପା ପେଶାରେ ଜଣେ ଶିକ୍ଷକ ବୋଲି ଜଣାପଡ଼ିଛି।

ଅତିରିକ୍ତ ଏସ୍‌ପି ଆଲୋକ ଜେନା କହିଛନ୍ତି, ଘଟଣାର ଗୁରୁତ୍ୱକୁ ଦେଖି ପୋଲିସ ନିଜ ଆଡ଼ରୁ ମାମଲା ରୁଜୁ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ବାପାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ରହିଛି। ମୋବାଇଲ ଚାଟ୍‌ ସମେତ କିଛି ପ୍ରମାଣ ପୋଲିସ ହାତକୁ ଆସିଛି। ତଦନ୍ତରେ ଯଦି ଅନ୍ୟ କାହାର ସମ୍ପୃକ୍ତି ମିଳେ, ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଏହି ମାମଲାର ତଦନ୍ତ ଚାଲିଛି।