ବାଣିଗୋଛା ପୋଲିସ ହାତରେ ୨ ପଶ୍ଚିମବଙ୍ଗ ମାଫିଆ

୧୨.୫ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦଶପଲ୍ଲା, ୧୧/୦୭: ଦଶପଲ୍ଲା ବ୍ଳକ ଅନ୍ତର୍ଗତ ବାଣିଗୋଛା ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। କାମିଟିପଙ୍ଗା ବସ୍ ଷ୍ଟପ୍ ନିକଟରୁ ଗଞ୍ଜେଇ ଚାଲାଣ କରୁଥିବା ଦୁଇଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ୍ କରିଛି। ଗିରଫ ଦୁଇଜଣ ହେଲେ ପଶ୍ଚିମବଙ୍ଗ ରାଜ୍ୟର ବର୍ଦ୍ଧମାନ ସଦର ଥାନା ଅନ୍ତର୍ଗତ ଖାଗ୍ରାଗଡ଼ ପୂର୍ବ ମାଥାପଡ଼ା (ରାଜାବାଟି) ଗ୍ରାମର ବୁରୋ ଘୋଷଙ୍କ ପୁଅ ମଙ୍ଗଳ ଘୋଷ (୨୩) ଏବଂ ବାହିର ସର୍ବମଙ୍ଗଳାପଡ଼ା (ଦକ୍ଷିଣରାଜବାଟି) ଗ୍ରାମର ଶେଖ୍ ମୋଜେମଙ୍କ ପୁଅ ଶେଖ୍ ସାବିର (୨୨)। ବାଣିଗୋଛା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ରଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବୀରେନ୍ଦ୍ର କୁମାର ଦେହୁରୀ ଓ ପୋଲିସ ଟିମ୍ କାମିଟିପଙ୍ଗା ବସ୍ ଷ୍ଟପ୍ ନିକଟରେ ପହଞ୍ଚି ସେଠାରେ ଗଞ୍ଜେଇ ଚାଲାଣ ପାଇଁ ଠିଆ ହୋଇଥିବା ବେଳେ ପୋଲିସ ସେମାନଙ୍କୁ ଚତୁରତାର ସହ କାବୁ କରିଥିଲା। ଇତ୍ଯବସରରେ ସେମାନଙ୍କ ନିକଟରୁ ଏକ ବ୍ୟାଗ୍‌ରୁ ୧୨.୫ କିଲୋଗ୍ରାମ ଚୋରା ଗଞ୍ଜେଇ ମିଳିଥିଲା। ପୋଲିସ ଗଞ୍ଜେଇ ସହ ସେମାନେ ବ୍ୟବହାର କରୁଥିବା ୨ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୨,୨୫୦ ଟଙ୍କା ଜବତ କରାଯିବା ସହ ଉଭୟଙ୍କ ବିରୋଧରେ ବାଣିଗୋଛା ଥାନାରେ ନଂ. ୮୫ ତା ୧୦/୦୭/୨୦୨୬ ରିଖରେ ମାମଲା ରୁଜୁ କରାଯାଇ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ।