ଅଶାନ୍ତ ହର୍ମୁଜ; ଜାହାଜକୁ ଟାର୍ଗେଟ କରି ଆକ୍ରମଣ

୧୦ ଭାରତୀୟ ଉଦ୍ଧାର, ଜଣେ ନାବିକ ନିଖୋଜ

ନୂଆଦିଲ୍ଲୀ, ୧୨/୦୭: ଓମାନ ଉପକୂଳ ନିକଟରେ ସାଇପ୍ରସ ପତାକା ଲାଗିଥିବା ଜିଏଫଏକ୍ସ ଗାଲାକ୍ସି ନାମକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ସରକାର କଡ଼ା ନିନ୍ଦା କରିଛନ୍ତି। ଭାରତର ବୈଦେଶିଟ ମନ୍ତ୍ରାଳୟ କହିଛି ଯେ, ଜାହାଜରେ ମୋଟ ୧୧ ଜଣ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି, କିନ୍ତୁ ଜଣେ ଭାରତୀୟ ନାବିକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।

ରବିବାର ସକାଳେ ଓମାନ ଉପକୂଳ ନିକଟରେ ଥିବା ବାଣିଜ୍ୟିକ ଜାହାଜ ଜିଏଫଏକ୍ସ ଗାଲାକ୍ସି ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଜାହାଜରେ ଥିବା କର୍ମଚାରୀମାନଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ସନ୍ଧାନ ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ୧୦ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। କିନ୍ତୁ ଜଣେ ନିଖୋଜ ଥିବାରୁ ତାଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି।

ଭାରତ ସରକାର କହିଛନ୍ତି, ବାଣିଜ୍ୟିକ ଜାହାଜ ଓ ସାଧାରଣ ନାଗରିକଙ୍କ ଉପରେ ଏଭଳି ଆକ୍ରମଣ ଅତ୍ୟନ୍ତ ଚିନ୍ତାଜନକ।ଏଭଳି ଘଟଣା ସାମୁଦ୍ରିକ ସୁରକ୍ଷା ଓ ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ଭାରତ ଏହି ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରୁଛି ଏବଂ ଏଭଳି ହିଂସା ତୁରନ୍ତ ବନ୍ଦ ହେବା ଆବଶ୍ୟକ।

ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥିତି ଉପରେ ନିରନ୍ତର ନଜର ରଖିଛି। ଦୂତାବାସ ଓମାନ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରି ନିଖୋଜ ଭାରତୀୟଙ୍କ ସନ୍ଧାନ କାର୍ଯ୍ୟରେ ସହଯୋଗ କରୁଛି। ଭାରତ ସରକାର ଏହି ଅଭିଯାନରେ ସହଯୋଗ ପାଇଁ ଓମାନ ସରକାରଙ୍କୁ ଧନ୍ୟବାଦ ଜଣାଇଛି।

ଅନ୍ୟପଟେ ଏହି ଆକ୍ରମଣକୁ ନେଇ ଇରାନ ପ୍ରତିକ୍ରିୟା ରଖିଛି ଯେ, ଏହି ଜାହାଜ ବିନା ଅନୁମତିରେ ହର୍ମୁଜ ଦେଇ ଯାଉଥିଲା। ତେଣୁ ଏହା ଉପରେ‌ ଆକ୍ରମଣ ହୋଇଛି। ଯଦି ଏହାର ଜବାବରେ କେହି ପ୍ରତିଶୋଧ ନିଅନ୍ତି, ତେବେ ତା’ର କଡ଼ା ଜବାବ ଦିଆଯିବ।