ପୁଣି ଡରାଇଲା କରୋନା, ଓଡ଼ିଶାରେ ହାଇଆଲର୍ଟ

ପଡ଼ୋଶୀ ରାଜ୍ୟରେ ଗଲାଣି ୨ ଜୀବନ

ଭୁବନେଶ୍ୱର, ୧୩/୦୭: ପୁଣି ଡରାଇଲାଣି କରୋନା। ମହାମାରୀ କିଛି ଦିନ ଧରି ଥମିଯିବା ବେଳେ ପୁଣି ଏବେ ବ୍ୟାପିଲାଣି। ଆନ୍ଧ୍ରପ୍ରଦେଶର ୱାଏସ୍‌ଆର୍ କଡ଼ପ୍ପା ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ କରୋନାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ଚାରି ବର୍ଷ ପରେ ରାଜ୍ୟରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ବୋଲି ଜଣାପଡ଼ିଛି।

କଡ଼ପ୍ପାର ରାଜାମ୍ପେଟ୍ ଅଞ୍ଚଳର ଜଣେ ବ୍ୟକ୍ତି ଜ୍ୱର ଓ କାଶ ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ ଭେଲୋର୍ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍‌ରେ ଚିକିତ୍ସା କରାଯାଉଥିବା ସମୟରେ ମୃତ୍ୟୁ ହୋଇଥିଲା।

ସେହିପରି କଡ଼ପ୍ପାର ଅନ୍ୟ ଜଣେ ଯୁବକ ଗୁରୁତର ଫୁସ୍‌ଫୁସ୍ ସଂକ୍ରମଣ (ବାଇଲାଟେରାଲ୍ ନିମୋନିଆ)ରେ ସଂକ୍ରମିତ ହୋଇ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (RIMS) ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପରେ ତାଙ୍କର କୋଭିଡ ପଜିଟିଭ ବାହାରିଥିଲା। ଜୁଲାଇ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଦୁଇ ମୃତ୍ୟୁ ପରେ କଡ଼ପ୍ପା ଓ ଆନ୍ନାମୟ୍ୟା ଜିଲ୍ଲାରେ ମୋଟ ୮ଟି ସକ୍ରିୟ କେସ୍ ଚିହ୍ନଟ ହୋଇଛି। କିଛି ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନ୍‌ରେ ରଖାଯାଇଛି ଏବଂ କଣ୍ଟାକ୍ଟ ଟ୍ରେସିଂ ଚାଲିଛି।

ଅନ୍ୟପଟେ ପଡୋଶୀ ରାଜ୍ୟରେ କରୋନା ବ୍ୟାପିଥିବା ଯୋଗୁଁ ଓଡ଼ିଶାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଆନ୍ଧ୍ର ପାଖ ଓଡ଼ିଶାର ଜିଲ୍ଲା ଗୁଡ଼ିକର CDMOଙ୍କୁ ସନ୍ଦିଗ୍ଧଙ୍କ କୋଭିଡ୍ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ସୂଚନା ଦେଇଛନ୍ତି।