ତେହେରାନ, ୧୩/୦୭: ଇରାନର ତେହେରାନ ମ୍ୟୁନିସିପାଲିଟି ଦ୍ୱାରା ପରିଚାଳିତ କଟ୍ଟରପନ୍ଥୀ ସମ୍ବାଦପତ୍ର ‘ହମସାହ୍ରି’ ଏକ ଅନଲାଇନ୍ ଇନଫୋଗ୍ରାଫିକରେ ବିଶ୍ୱର ୧୩ ଜଣ ଶକ୍ତିଶାଳୀ ନେତା ଏବଂ ସେନା ଅଧିକାରୀଙ୍କ ଏକ ‘ହିଟ୍ ଲିଷ୍ଟ’ (କିଲ୍ ଲିଷ୍ଟ) ଜାରି କରି ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସମେତ ବିଶ୍ୱର ପ୍ରମୁଖ ନେତାମାନଙ୍କ ନାଁ ରହିଛି।
ନ୍ୟୁଜପେପର ପକ୍ଷରୁ ଏହି ନେତାମାନଙ୍କ ଫଟୋକୁ କଏଦୀ ପୋଷାକରେ ଛପାଯିବା ସହ ସେମାନଙ୍କ କପାଳରେ ସ୍ନାଇପର ଟାର୍ଗେଟ୍ ଚିହ୍ନ ଲଗାଯାଇଛି। ଏହା ସହିତ ଏକ ଭୟଙ୍କର ଚେତାବନୀ ଦିଆଯାଇ ଲେଖାଯାଇଛି ଯେ, “ଏହି ଅପରାଧୀମାନେ ନିଜ ବିଛଣାରେ ଶାନ୍ତିରେ ମରିବାର ସ୍ୱପ୍ନକୁ ନିଜ ସହ କବରକୁ ନେଇଯିବେ, ଅର୍ଥାତ୍ ଏମାନଙ୍କୁ ଶାନ୍ତିପୂର୍ଣ୍ଣ ମୃତ୍ୟୁ ମିଳିବ ନାହିଁ ଏବଂ ମୃତ୍ୟୁ ଅତି ହଠାତ୍ ଆସିବ”।
ହିଟ୍ ଲିଷ୍ଟ୍ ପ୍ରକାଶ ପାଇବାର ମୁଖ୍ୟ କାରଣ
ଗତ ଫେବୃଆରୀ ୨୮ ତାରିଖରେ ପଶ୍ଚିମ ଏସିଆ ଯୁଦ୍ଧର ପ୍ରଥମ ଦିନରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ତାଙ୍କ ପୁଅ ତଥା ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ନିକଟରେ ତାଙ୍କ ପ୍ରଥମ ସାର୍ବଜନୀନ ବାର୍ତ୍ତାରେ ପ୍ରତିଶୋଧ ନେବାକୁ ଖୋଲା ଶପଥ ନେଇଥିଲେ । ସେ କହିଥିଲେ ଯେ ଇରାନ ଏଭଳି ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ଯାହାକୁ ଟାର୍ଗେଟ୍ କରାଯିବ। ସେ ନିଜେ କୌଣସି ନାମ ପ୍ରକାଶ କରିନଥିଲେ ମଧ୍ୟ, ତାଙ୍କ ବାର୍ତ୍ତା ଆସିବା ମାତ୍ରେ ‘ହମସାହ୍ରି’ ସମ୍ବାଦପତ୍ର ଏହି ୧୩ ଜଣିଆ ବିଶ୍ୱ ନେତାଙ୍କ ତାଲିକା ଅନଲାଇନରେ ଜାରି କରିଦେଇଛି।
ଇରାନର ଏହି ଟାର୍ଗେଟ୍ ଲିଷ୍ଟରେ ଥିବା ୧୩ ଜଣ ପ୍ରମୁଖ ନାମ:
ଆମେରିକାର ନେତା ଓ ଅଧିକାରୀ:
ଡୋନାଲ୍ଡ ଟ୍ରମ୍ପ – ରାଷ୍ଟ୍ରପତି, ଆମେରିକା
ମାର୍କୋ ରୁବିଓ – ବୈଦେଶିକ ମନ୍ତ୍ରୀ, ଆମେରିକା
ପିଟ୍ ହେଗସେଥ୍ – ପ୍ରତିରକ୍ଷା ମନ୍ତ୍ରୀ, ଆମେରିକା
ମାଇକ ହକାବି – ଇସ୍ରାଏଲରେ ଆମେରିକାର ରାଷ୍ଟ୍ରଦୂତ
ଜେନେରାଲ ମାଇକେଲ ‘ଏରିକ’ କୁରିଲା / ବ୍ରାଡ୍ କୁପର – ଆମେରିକା ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍) ର ଶୀର୍ଷ ସେନା ଅଧିକାରୀ
ଇସ୍ରାଏଲର ନେତା ଓ ସେନା ଅଧିକାରୀ:
ବେଞ୍ଜାମିନ ନେତାନ୍ୟାହୁ – ପ୍ରଧାନମନ୍ତ୍ରୀ, ଇସ୍ରାଏଲ
ଇସ୍ରାଏଲ କାଟ୍ଜ – ପ୍ରତିରକ୍ଷା ମନ୍ତ୍ରୀ, ଇସ୍ରାଏଲ
ଗିଦୋନ ସାର୍ – ବୈଦେଶିକ ମନ୍ତ୍ରୀ, ଇସ୍ରାଏଲ
ଇୟାଲ ଜମିର – ଇସ୍ରାଏଲ ଡିଫେନ୍ସ ଫୋର୍ସ (IDF) ର ମୁଖ୍ୟ
ୟୁରୋପୀୟ ଦେଶର ରାଷ୍ଟ୍ରମୁଖ୍ୟ:
ଜର୍ଜିଆ ମେଲୋନୀ – ପ୍ରଧାନମନ୍ତ୍ରୀ, ଇଟାଲୀ
କିର ଷ୍ଟାର୍ମର – ପ୍ରଧାନମନ୍ତ୍ରୀ, ବ୍ରିଟେନ
ଇମାନୁଏଲ ମାକ୍ରୋନ – ରାଷ୍ଟ୍ରପତି, ଫ୍ରାନ୍ସ
ଫ୍ରେଡରିକ ମର୍ଜ – ଚାନ୍ସେଲର, ଜର୍ମାନୀ
ୟୁରୋପୀୟ ନେତାମାନଙ୍କୁ ଟାର୍ଗେଟ୍ କରିବାକୁ ନେଇ ଇରାନ ଅଭିଯୋଗ କରିଛି ଯେ, ଯୁଦ୍ଧ ସମୟରେ ୟୁରୋପୀୟ ଦେଶଗୁଡ଼ିକ ଇରାନ ମାଟିରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାରେ ବିଫଳ ହୋଇଛନ୍ତି। ଏହା ସହିତ ସେମାନେ ଆମେରିକାର ସାମରିକ ବିମାନଗୁଡ଼ିକୁ ନିଜର ଏୟାରସ୍ପେସ୍ (ଆକାଶମାର୍ଗ) ବ୍ୟବହାର କରିବାକୁ ଅନୁମତି ଦେଇଥିଲେ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ଆକ୍ରମଣରେ ସହଭାଗୀ ସାଜିଛନ୍ତି।
ଏହି ହିଟ୍ ଲିଷ୍ଟ୍ ଏବଂ ହତ୍ୟା ଷଡ଼ଯନ୍ତ୍ରର ଖବର ସାମ୍ନାକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଅତି କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଆମେରିକା ସେନାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇ ସାରିଛି, ଯଦି ତାଙ୍କ ଉପରେ କୌଣସି ଆକ୍ରମଣ ସଫଳ ହୁଏ କିମ୍ବା ତାଙ୍କର ମୃତ୍ୟୁ ହୁଏ, ତେବେ ଆମେରିକା ସେନା ଇରାନର ସମସ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେବ। ୧,୦୦୦ରୁ ଅଧିକ ମିସାଇଲ୍ ଇରାନ ଆଡ଼କୁ ଲକ୍ କରି ରଖାଯାଇଛି। ଏଥିସହ ୱାଶିଂଟନ୍ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ପାଇଁ ଅସ୍ତ୍ରବିରତି ଶେଷ ହୋଇଛି।
ସୂଚନାଯୋଗ୍ୟ ଯେ, ଏହି ହିଟ୍ ଲିଷ୍ଟକୁ ଇରାନ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ମଞ୍ଜୁରୀ ମିଳିଛି କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।