କଲ୍ୟାଣସିଂପୁର ବ୍ଲକ ସଦରମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ
୩ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଟଙ୍କା ପ୍ରଦାନ କଲେ ଜିଲ୍ଲାପାଳ
କଲ୍ୟାଣସିଂହପୁର, ୧୩/୦୭ (ନରସିଂହ ନାଥ ମହାପାତ୍ର): ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ ପ୍ରସାଦ, ଉପ ଜିଲ୍ଲାପାଳ ରାୟଗଡ଼ା ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ କ୍ଷୀରାବ୍ଦୀ ତନୟା ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମିଶ୍ର, ପ୍ରକଳ୍ପ ପ୍ରଶାସକ ତଥା ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ। ଆଜି ମୋଟ ୯୫ଟି ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ୭୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୨୧ଟି ଗ୍ରାମବାସୀଙ୍କର ସାମୂହିକ ଅଭିଯୋଗ ଥିଲା। ଏହି ଶିବିରରେ ବିଭିନ୍ନ ସମସ୍ୟା ସମ୍ବଳିତ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୩ଟି ଅଭିଯୋଗର ସମାଧାନ ଘଟଣାସ୍ଥଳରେ କରାଯାଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ନିମନ୍ତେ ୩ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ମୋଟ ୧୫ ହଜାର ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଥିଲେ। ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ଅଭିଯୋଗ ଶିବିରରେ ତହସିଲଦାର, କଲ୍ୟାଣସିଂପୁର ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।