ବାଢ଼ରେ ଚାଷ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଯୁବକଙ୍କ ମୃତ୍ୟୁ

ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି

କଲ୍ୟାଣସିଂହପୁର, ୧୩/୦୭: (ନରସିଂହ ନାଥ ମହାପାତ୍ର): ଚାଷ କାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଏକ ଦୁଃଖଦ ଘଟଣା ରାୟଗଡ଼ା କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ଘଟିଛି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିଲେଟ ପଞ୍ଚାୟତର ବିପିନ ନାଏକଙ୍କ ଟ୍ରାକ୍ଟର (OD-18H-0671) ଆଜି ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତର କଳାକୁପା ଗାଁର ବନ ବିଭରଙ୍କ ଜମିରେ ଚାଷ କାମ କରିବାକୁ ଯାଇଥିଲା। ଦିନ ପ୍ରାୟ ୧୨ଟା ସମୟରେ ବାଢ଼ରେ ଚାଷ କରୁଥିବା ବେଳେ ହଠାତ୍ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଟ୍ରାକ୍ଟର ଚାଳକ ସୁଶାନ୍ତ ଗୌଡ଼ (୧୯) ଗୁରୁତର ଭାବେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।

ଘଟଣା ପରେ ସ୍ଥାନୀୟ ଲୋକମାନେ ସୁଶାନ୍ତଙ୍କୁ ଉଦ୍ଧାର କରି ଜୀବିତ ଥିବେ ବୋଲି ଆଶା କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇବା ପରେ ସ୍ଥାନୀୟ ପୋଲିସ ବିଜେପୁର ଥାନାକୁ ସୂଚନା ଦେଇଥିଲା। ବିଜେପୁର ପୋଲିସ ଘଟଣାସ୍ଥଳ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବକୁ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।