ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ନୀତି ଆୟୋଗ ରିପୋର୍ଟ

ଗୁଜରାଟ ଓ ମହାରାଷ୍ଟ୍ରକୁ ଦେଉଛି ଟକ୍କର

ନୂଆଦିଲ୍ଲୀ, ୧୮/୦୭: ଓଡ଼ିଶା ଶିଳ୍ପାୟନ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ‘ନୀତି ଆୟୋଗ’ ପକ୍ଷରୁ ପ୍ରକାଶିତ ପ୍ରଥମ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ ଇଣ୍ଡେକ୍ସ ୨୦୨୬’ ବା ନିବେଶ ଅନୁକୂଳ ସୂଚକାଙ୍କ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି।

ଓଡ଼ିଶା ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ’ ହୋଇଛି। ସମଗ୍ର ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ କରାଯାଇଥିବା ଏହି ଆକଳନରେ ଓଡ଼ିଶା ୫୨.୪ ସ୍କୋର ସହ ପଞ୍ଚମ ଏବଂ ଦେଶର ପ୍ରମୁଖ ୧୭ଟି ବଡ଼ ରାଜ୍ୟ ମଧ୍ୟରେ ଚତୁର୍ଥ ସ୍ଥାନ ହାସଲ କରିଛି।

ପାରମ୍ପରିକ ଭାବେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ କୁହାଯାଉଥିବା ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁ ଭଳି ରାଜ୍ୟଗୁଡ଼ିକ ସହିତ ଏବେ ଓଡ଼ିଶା ସମକକ୍ଷ ହୋଇଛି। ନୀତି ଆୟୋଗ ରିପୋର୍ଟ ଅନୁଯାୟୀ, ଓଡ଼ିଶା ତାର ପ୍ରାକୃତିକ ସମ୍ବଳ ଏବଂ କୋଇଲା ଓ ଧାତବ ଖଣିଜ ଉତ୍ପାଦନ କ୍ଷେତ୍ରରେ ସାରା ଦେଶରେ ଶୀର୍ଷରେ ରହି ନିବେଶକମାନଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ରାଜ୍ୟ ସରକାରଙ୍କ ଦୀର୍ଘମିଆଦୀ ଶିଳ୍ପ ନୀତି ଏବଂ ସୁଦୃଢ଼ ଆର୍ଥିକ ପରିଚାଳନା ଯୋଗୁଁ ଓଡ଼ିଶା ଏହି ବଡ଼ ସଫଳତା ପାଇଥିବା କୁହାଯାଇଛି।

ଏ ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ଯେ, ଏହା ରାଜ୍ୟ ସରକାରଙ୍କ ବ୍ୟବସାୟ ଅନୁକୂଳ ନୀତି ଏବଂ ଦ୍ରୁତ ଶିଳ୍ପାୟନ ଯୋଜନାର ଏକ ବଡ଼ ପ୍ରମାଣ। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟାକୁ ସହଜ କରିବା ଏବଂ ବିଜନେସ୍ ପାଇଁ ସୁରକ୍ଷିତ ବାତାବରଣ ଯୋଗାଇଦେବା ଦିଗରେ ସରକାର ନିରନ୍ତର କାମ କରୁଛନ୍ତି, ଯାହାକୁ ଆଜି ନୀତି ଆୟୋଗ ମଧ୍ୟ ସ୍ୱୀକୃତି ଦେଇଛନ୍ତି।

ନୀତି ଆୟୋଗ ରିପୋର୍ଟରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ କୁ ବିଶେଷ ଭାବେ ପ୍ରଶଂସା କରାଯାଇଛି। ଓଡ଼ିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ (STEM) ନାମଲେଖାରେ ୪୮ ପ୍ରତିଶତ ହାର ସହ ଦେଶରେ ସବୁଠାରୁ ଆଗରେ ରହିଛି, ଯାହା ଶିଳ୍ପସଂସ୍ଥାଗୁଡ଼ିକୁ ସହଜରେ କୁଶଳୀ ଶ୍ରମିକ ବା ଇଞ୍ଜିନିୟର ଯୋଗାଇବାରେ ସଫଳ ହେଉଛି।

ଶ୍ରେଷ୍ଠ ୫ ପ୍ରଦର୍ଶନକାରୀ ରାଜ୍ୟ ହେଲେ ଗୁଜୁରାଟ (୫୬.୬ ସ୍କୋର), ମହାରାଷ୍ଟ୍ର (୫୩.୭ ସ୍କୋର), ତାମିଲନାଡୁ (୫୩.୩ ସ୍କୋର), ଓଡ଼ିଶା (୫୨.୪ ସ୍କୋର) ଏବଂ ଗୋଆ।