ଭାରତର ପ୍ରଥମ ଘରୋଇ ରକେଟ ବିକ୍ରମ-୧ର ଲଞ୍ଚ୍ ସଫଳ
ସ୍କାଏରୁଟ୍ ଏରୋସ୍ପେଶ ପକ୍ଷରୁ ନିର୍ମିତ ବିକ୍ରମ-୧କୁ ଲଞ୍ଚ କଲା ଇସ୍ରୋ
ସ୍କାଏରୁଟ୍ ଏରୋସ୍ପେଶ ଟିମ୍ କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୧୮/୦୭: ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଜି ସୃଷ୍ଟି ହୋଇଛି ଏକ ନୂଆ ଇତିହାସ। ଦେଶର ପ୍ରଥମ ଘରୋଇ ରକେଟ ‘ବିକ୍ରମ-୧’ (Vikram-1) ର ସଫଳ ଉତକ୍ଷେପଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସହାୟତାରେ ଏହି ମାଇଲଖୁଣ୍ଟ ହାସଲ ହୋଇପାରିଛି।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଏହି ଅତ୍ୟାଧୁନିକ ରକେଟର ଉତକ୍ଷେପଣ କରାଯାଇଥିଲା। ତେବେ ଉତକ୍ଷେପଣ ପୂର୍ବରୁ କିଛି ବୈଷୟିକ କାରଣ ପାଇଁ ପ୍ରକ୍ରିୟାକୁ ୩୦ ମିନିଟ୍ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ସମସ୍ତ ଯାଞ୍ଚ ପରେ ନିର୍ଦ୍ଧାରିତ ସମୟର ଅଧ ଘଣ୍ଟା ବିଳମ୍ବରେ ରକେଟ୍ଟି ମହାକାଶ ଅଭିମୁଖେ ସଫଳତାର ସହ ଉଡ଼ାଣ ଭରିଥିଲା।
ଏହି ରକେଟ୍କୁ ହାଇଦ୍ରାବାଦ ଭିତ୍ତିକ ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ ‘ସ୍କାଏରୁଟ୍ ଏରୋସ୍ପେଶ’ (Skyroot Aerospace) ନିର୍ମାଣ କରିଛି। ଭାରତୀୟ ମହାକାଶ କ୍ଷେତ୍ରକୁ ଘରୋଇ ଉଦ୍ୟୋଗୀଙ୍କ ପାଇଁ ଖୋଲାଯିବା ପରେ ଏହା ଦେଶର ପ୍ରଥମ ସଫଳ ଘରୋଇ ମିଶନ ହୋଇଛି।
ଏହି ଐତିହାସିକ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କାଏରୁଟ୍ ଏରୋସ୍ପେଶ ଟିମ୍ ସହ ସିଧାସଳଖ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତାଙ୍କୁ ଏହି ବଡ଼ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଭାରତର ମହାକାଶ କ୍ଷେତ୍ରକୁ ଏହା ଆହୁରି ମଜବୁତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।