ରାମ କେବଳ ହିନ୍ଦୁଙ୍କର ନୁହେଁ, ବରଂ ସମଗ୍ର ବିଶ୍ବର ଭଗବାନ

ନୂଆଦିଲ୍ଲୀ, ୨୦/୧୧: ଭଗବାନ ରାମ କେବଳ ହିନ୍ଦୁଙ୍କର ନୁହେଁ ବରଂ ସମଗ୍ର ବିଶ୍ବର ବୋଲି କହିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ।  ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନିକଟରେ ନାସନାଲ କନଫରେନ୍ସ ପଦ ଛାଡ଼ିଥିବା ଫାରୁକ ଅବଦୁଲା ଭଗବାନ ରାମଙ୍କୁ​ ସମଗ୍ର ବିଶ୍ବର ବୋଲି କହିଛନ୍ତି। ଅବଦୁଲ୍ଳା ଏକ ସାର୍ବଜନିକ ସଭାକୁ ସମ୍ବୋଧିତ କରିବା ସମୟରେ ଏପରି କହି ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଅନ୍ୟ ନେତା ମାନେ ଦେଶରେ ସା​‌ମାଜିକ ବିଭାଜନ ସୃଷ୍ଟି କରିବାକୁ ଚାହୁଛନ୍ତି।

ସଭାରେ ଅବଦୁଲ୍ଲା କହିଥିଲେ ଯେ, ‘ରାମ କେବଳ ହିନ୍ଦୁଙ୍କର ନୁହେଁ ସେ ସମସ୍ତଙ୍କର ଭଗବାନ। କିନ୍ତୁ ଯେଉଁମାନେ କହୁଛନ୍ତି ଯେ ରାମ ଆମର ମୁଁ ତାଙ୍କୁ କହିବାକୁ ଚାହୁଛି ଯେ ରାମ ସମସ୍ତଙ୍କର କେବଳ ଆପଣଙ୍କର ନୁହେଁ। ଆମକୁ ବୁଝିବାକୁ ହେବ ଯେ ଆମକୁ ଏକାଠି ଚାଲିବାକୁ ହେବ ଏବଂ ଧର୍ମକୁ ମଧ୍ୟ ମଜବୁତ କରିବାକୁ ହେବ।’ ସେ ଆହୁରି କହିଛନ୍ତି ପିଲାଙ୍କୁ ଠିକ୍ ଧର୍ମ ଶିଖାନ୍ତୁ। କୌଣସି ଧର୍ମ କହୁନାହିଁ ଯେ ଚୋରି କରନ୍ତୁ, ବେଇମାନି କରନ୍ତୁ କିମ୍ବା ଦୁଷ୍କର୍ମ କରନ୍ତୁ। ଧର୍ମ କହୁଛି ଠିକ୍ କାମ କରନ୍ତୁ। କୌଣସି ଧର୍ମ ଖରାପ ନୁହେଁ, ମନୁଷ୍ୟ ଖରାପ।’

ଅବଦୁଲ୍ଲା କହିଛନ୍ତି ଏହି ନେତାମାନେ ନିର୍ବାଚନ​ରେ କହିବେ ଯେ ହିନ୍ଦୁତ୍ବ ବିପଦରେ ଅଛି। କିନ୍ତୁ ଦେଶରେ ୮୦ ପ୍ରତିଶତ ହିନ୍ଦୁ ଅଛନ୍ତି, ତା’ହେଲେ କେମିତି ହିନ୍ଦୁତ୍ବ ବିପଦ​‌ରେ ? ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ପ୍ରଶ୍ନ କରିଛନ୍ତି ଜମ୍ମୁ-କାଶ୍ମୀର ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଇନାହିଁ। ସେ କହିଛନ୍ତି ଏଠା​ରେ ୫୦ ହଜାର ଚାକିରି ନେଇ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା କୁଆଡେ ଗଲା ?

ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ଉପରେ କହି ଅବଦୁଲ୍ଳା କହିଛନ୍ତି ଯେ ସେଦିନ ଦୂର ନୁହେଁ, ଯେତେବେଳେ ଜମ୍ମୁ-କାଶ୍ମୀର ଏବଂ ଲଦାଖ ପୁଣିଥ​ରେ ଏକ ହୋଇଯିବେ। ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଧାରା ୩୭୦ କୁ ହଟାଇଥିଲେ। ଏହାପରେ ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତିତ କରାଯାଇଥିଲା।