ବିପଜ୍ଜନକ ଚାନ୍ଦିପୁରା ଭାଇରସ୍‌ରେ ୨୨ ପିଲାଙ୍କ ମୃତ୍ୟୁ

ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଔଷଧ ବା ଚିକିତ୍ସା ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଅହମ୍ମଦାବାଦ, ୦୪/୦୮: ଗୁଜରାଟରେ ଚାନ୍ଦିପୁରା ଭେସିକୁଲୋଭାଇରସ୍ (CHPV) ର ପ୍ରକୋପ ଯୋଗୁଁ ଜୁଲାଇ ପ୍ରଥମ ସପ୍ତାହରୁ ଆରମ୍ଭ କରି ଏପର୍ଯ୍ୟନ୍ତ ୨୨ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ପାନସେରିଆ। ସେ କହିଛନ୍ତି ଯେ ସମସ୍ତ ଆକ୍ରାନ୍ତ ୧୫ ବର୍ଷରୁ କମ୍ ବୟସ୍କ ପିଲା।

ରାଜ୍ୟରେ ଏପର୍ଯ୍ୟନ୍ତ ୧୮୪ଟି ସନ୍ଦେହଜନକ ଏନ୍‌ସେଫାଲାଇଟିସ୍ (ମସ୍ତିଷ୍କ ପ୍ରଦାହ) ମାମଲା ରିପୋର୍ଟ ହୋଇଛି। ଏଥିମଧ୍ୟରୁ ୩୫ଟି ମାମଲାରେ ଚାନ୍ଦିପୁରା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୧ଟି ନମୁନାର ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ପଜିଟିଭ୍ ରୋଗୀଙ୍କ ମଧ୍ୟରୁ ୭ ଜଣ ପିଲା ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ୬ ଜଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ଡିସଚାର୍ଜ ହୋଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ପାନସେରିଆ କହିଛନ୍ତି ଯେ ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଚିକିତ୍ସା ପଦ୍ଧତି ନାହିଁ। ଡାକ୍ତରମାନେ ଲକ୍ଷଣ ଅନୁସାରେ ସହାୟକ ଚିକିତ୍ସା କରୁଛନ୍ତି। ଜ୍ୱର, ବାନ୍ତି ଏବଂ ଅଚେତ ହେବା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ପିଲାଙ୍କୁ ଅକ୍ସିଜେନ୍ ଓ ଭେଣ୍ଟିଲେଟର୍ ସୁବିଧା ଥିବା ଆଇସିୟୁରେ ଭର୍ତ୍ତି କରିବାକୁ ସମସ୍ତ ସରକାରୀ ଓ ବେସରକାରୀ ଶିଶୁ ଚିକିତ୍ସା କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଭାଇରସ୍ ମୁଖ୍ୟତଃ ସ୍ୟାଣ୍ଡଫ୍ଲାଇ (ବାଲି ମାଛି), ମଶା ଭଳି ବାହକ ମାଧ୍ୟମରେ ବ୍ୟାପେ। ଏହା ସାଧାରଣତଃ ମାଟି ଘରର ଫାଟରେ ରହେ। ତେଣୁ ସ୍ୱାସ୍ଥ୍ୟ ବିଭାଗ ମାଟି ଘରର ଫାଟ ଭରିବା ପାଇଁ ପରାମର୍ଶ ଦିଆଯାଇଛି। ପଶୁପାଳନ ହେଉଥିବା ଅଞ୍ଚଳରେ କୀଟନାଶକ ସ୍ପ୍ରେ କାର୍ଯ୍ୟ ଜାରି ରଖାଯାଇଛି।

ଚାନ୍ଦିପୁରା ଭାଇରସ୍ ଏକ ଗୁରୁତର ରୋଗ ଯାହା ମୁଖ୍ୟତଃ ପିଲାଙ୍କୁ ଆକ୍ରାନ୍ତ କରେ ଓ ତୀବ୍ର ଏନ୍‌ସେଫାଲାଇଟିସ୍ ସୃଷ୍ଟି କରେ। ଏହି ରୋଗ ହେଲେ ମୃତ୍ୟୁହାର ବେଶୀ ଥାଏ।