ଫିଲିପାଇନ୍ସ ଜାହାଜକୁ ଧକ୍କା ଦେଲା ଚୀନ‌ ଜାହାଜ

ସମୁଦ୍ରରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା

ମାନିଲା, ୧୮/୦୯: ଦକ୍ଷିଣ ଚୀନ ସାଗରର ବିବାଦୀୟ ଅଞ୍ଚଳରେ ଚୀନ ଓ ଫିଲିପାଇନ୍ସ ମଧ୍ୟରେ ପୁଣି ଉତ୍ତେଜନା ବଢ଼ିଛି। ଶୁକ୍ରବାର ଏକ ଚାଇନିଜ କୋଷ୍ଟ ଗାର୍ଡ ଜାହାଜ ଫିଲିପାଇନ୍ସର ଏକ ସରକାରୀ ମାଛଧରା ଜାହାଜକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଘଟଣାରେ ଜାହାଜର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି

ଫିଲିପାଇନ୍ସର ବ୍ୟୁରୋ ଅଫ ଫିସେରିଜ ଆଣ୍ଡ ଆକୁଆଟିକ ରିସୋର୍ସର ଏକ ଜାହାଜ ଫିଲିପାଇନ୍ସର ପାଲାୱାନ ପ୍ରଦେଶଠାରୁ ପ୍ରାୟ ୫୪ ନଟିକାଲ୍ ମାଇଲ୍ ଦୂରରେ ମତ୍ସ୍ୟଜୀବୀଙ୍କୁ ଇନ୍ଧନ ସହାୟତା ଦେବା ପାଇଁ ଯାଉଥିଲା। ଏହି ସମୟରେ ଚାଇନା କୋଷ୍ଟ ଗାର୍ଡ ର ଜାହାଜCCG-21585 ଜାହାଜ ଧକ୍କା ଦେଇଥିଲା।

ଧକ୍କା ପରେ ଫିଲିପାଇନ୍ସ ଜାହାଜର ଷ୍ଟାରବୋର୍ଡ ପାର୍ଶ୍ୱର ରେଲିଂ ବଙ୍କିଯିବା ସହ କିଛି ଅଂଶ ଭାଙ୍ଗିଯାଇଥିଲା। କିନ୍ତୁ ଜାହାଜରେ ଥିବା କ୍ରୁ ସଦସ୍ୟଙ୍କ ମଧ୍ୟରୁ କେହି ଆହତ ହୋଇନଥିବା ଫିଲିପାଇନ୍ସ କୋଷ୍ଟ ଗାର୍ଡ କହିଛି।

ଅନ୍ୟପକ୍ଷରେ ଚୀନ କୋଷ୍ଟ ଗାର୍ଡ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଚୀନର କହିବା ଅନୁସାରେ, ଫିଲିପାଇନ୍ସ ଜାହାଜ ବାରମ୍ବାର ଦିଆଯାଇଥିବା ସତର୍କତାକୁ ଅଣଦେଖା କରି ନିଜ ଦିଗ ବଦଳାଇ ଚାଇନିଜ ଜାହାଜର ସାମ୍ନା ଦେଇ ଯିବାକୁ ଚେଷ୍ଟା କରିଥିଲା। ତେଣୁ ଘଟଣା ପାଇଁ ଫିଲିପାଇନ୍ସ ପକ୍ଷକୁ ଦାୟୀ କରିଛି ବେଜିଂ।

ଦକ୍ଷିଣ ଚୀନ ସାଗରରେ ଚୀନ ଓ ଫିଲିପାଇନ୍ସ ସମେତ ଅନେକ ଦେଶର ସମୁଦ୍ରସୀମାକୁ ନେଇ ବିବାଦ ରହିଛି। ଚୀନ ଏହି ଅଞ୍ଚଳର ବିଶାଳ ଭାଗ ଉପରେ ଐତିହାସିକ ଅଧିକାର ଦାବି କରୁଥିବାବେଳେ, ଫିଲିପାଇନ୍ସ ନିଜର ସମୁଦ୍ରସୀମା ଓ ଏକ୍ସକ୍ଲୁସିଭ ଇକୋନୋମିକ ଜୋନ ଆଧାରରେ ଅଧିକାର ଦାବି କରୁଛି।

୨୦୧୬ରେ ଏକ ଆନ୍ତର୍ଜାତିକ ମଧ୍ୟସ୍ଥତା ରାୟ ଚୀନର ବ୍ୟାପକ ଐତିହାସିକ ଅଧିକାର ଦାବିର ଆଇନଗତ ଆଧାରକୁ ଗ୍ରହଣ କରିନଥିଲା। କିନ୍ତୁ ଚୀନ ଏହି ରାୟକୁ ଗ୍ରହଣ କରେନାହିଁ। ସେବେଠାରୁ ଉଭୟ ଦେଶ ମଧ୍ୟରେ ଏହି ସମୁଦ୍ର ସୀମାକୁ ନେଇ ଅଶାନ୍ତ ଲାଗି ରହିଛି।