ସୁନ୍ଦରଗଡ଼, ୦୮/୦୮: ଶନିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗାଁରେ ଘଟିଛି ଅଭାବନୀୟ ଘଟଣା। ଚାରି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜଣେ ଯୁବକଙ୍କୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଯୁବକଙ୍କ ଶରୀରର ପ୍ରାୟ ୮୦% ପୋଡ଼ି ଯାଇଛି।
ଗୁରୁତର ଯୁବକ ଜଣକ ହେଲେ କାହ୍ନୁ ଚରଣ ମହାନ୍ତ। ତାଙ୍କୁ ପ୍ରଥମେ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)କୁ ନିଆଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସ୍ଥାନାନ୍ତରିତ କରାଯାଇଥିଲା।
ରିପୋର୍ଟ ଅନୁସାରେ, କାହ୍ନୁ ମହାନ୍ତ ନିକଟବର୍ତ୍ତୀ ଏକ ନାଳକୁ ଶୌଚ ପାଇଁ ଯାଉଥିବା ସମୟରେ ଚାରି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କ ଉପରେ ଜୋର ଜବରଦସ୍ତ ଆକ୍ରମଣ କରି ତାଙ୍କ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ, ଯାହା ପରେ ଅଭିଯୁକ୍ତମାନେ ଏକ ମୋଟରସାଇକେଲ ଯୋଗେ ପଳାଇ ଯାଇଥିଲେ।
ଗ୍ରାମବାସୀ ଏବଂ ପରିବାର ସଦସ୍ୟମାନେ କାହ୍ନୁ ମହନ୍ତଙ୍କୁ ଉଦ୍ଧାର କରି ଲହୁଣୀପଡ଼ା ସିଏଚ୍ସିକୁ ନେଇଯାଇଥିଲେ। ପରେ ଡାକ୍ତରମାନେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚକୁ ରେଫର କରିଥିଲେ।
ପୀଡିତଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଏହି ଆକ୍ରମଣ ଏକ ଜମିଜମା ବିବାଦକୁ ନେଇ ଏହି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରୁ ଡିଆସିଲି କାଠି, ଖାଲି ବୋତଲ ଏବଂ ଚପଲ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ।