ଏମ୍ସ ଭୁବନେଶ୍ବରରେ ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ସଂକ୍ରାନ୍ତୀୟ ଜାତୀୟ ସମ୍ମିଳନୀ ଏବଂ ନୀତିଗତ ଆଲୋଚନା ଉଦଯାପିତ
ଜିନୋମିକ୍ ନିରୀକ୍ଷଣକୁ ସୁଦୃଢ଼ କରିବା ଏବଂ ଯକ୍ଷ୍ମା-ମୁକ୍ତ ଭାରତ ପାଇଁ ସହଯୋଗମୂଳକ କାର୍ଯ୍ୟ ପାଇଁ ବିଶେଷଜ୍ଞଙ୍କ ଆହ୍ୱାନ
ଯକ୍ଷ୍ମା ନିରାକରଣ ପାଇଁ ରାଜ୍ୟ ସରକାର ଏବଂ ଏମ୍ସ ଭୁବନେଶ୍ୱର ମିଳିତ ଭାବେ କାମ କରିବା ସମୟର ଆବଶ୍ୟକତା: ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ
ଭୁବନେଶ୍ୱର, ୦୮/୦୮: ଏମ୍ସ ଭୁବନେଶ୍ବର ଏବଂ ପଲିସି ରେଜିଲିଏନ୍ସ ଫାଉଣ୍ଡେସନ୍ (ପିଆର୍ଏଫ୍) ସହଯୋଗରେ ଏଠାରେ ଆୟୋଜିତ ଦୁଇଦିନିଆ ଜାତୀୟ କନକ୍ଲେଭ୍ ଏବଂ ଯକ୍ଷ୍ମା ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଆଲୋଚନା ଗତକାଲି ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ, ଜନସ୍ୱାସ୍ଥ୍ୟ କର୍ମୀ, ବୈଜ୍ଞାନିକ, ଚିକିତ୍ସକ, ଗବେଷକ, ଜାତୀୟ ଯକ୍ଷ୍ମା ନିରୀକ୍ଷଣ କାର୍ଯ୍ୟକ୍ରମ (ଏନ୍ଟିଇପି)ର ଅଧିକାରୀ, ଏବଂ ସ୍ୱାସ୍ଥ୍ୟସେବା ବୃତ୍ତିଗତ ପ୍ରମୁଖ ଏକତ୍ରିତ ହୋଇଥିଲେ। ତ୍ବରିତ ଯକ୍ଷ୍ମା (ଟିବି) ଚିହ୍ନଟ, ନିରୀକ୍ଷଣ ଏବଂ ଗବେଷଣାକୁ ସୁଦୃଢ଼ କରିବା ଏବଂ ଭାରତକୁ ଏକ ଯକ୍ଷ୍ମା-ମୁକ୍ତ ଦେଶରେ ପରିଣତ କରିବା ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ଚିନ୍ତନ ମନ୍ଥନ ହୋଇଥିଲା।ଦୁଇ ଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଧ୍ୟ ଏହି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ।ସମାବେଶକୁ ସମ୍ବୋଧିତ କରି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଯକ୍ଷ୍ମା-ମୁକ୍ତ ଭାରତର ଦୃଷ୍ଟିକୋଣ କେବଳ ଏକ ଜନସ୍ୱାସ୍ଥ୍ୟ ପଦକ୍ଷେପ ନୁହେଁ ବରଂ ସାମୂହିକ ଦାୟିତ୍ୱ, ବୈଜ୍ଞାନିକ ବିଚାରଧାରାରେ ଉନ୍ନତି ଏବଂ ସାମୂହିକ ଅଂଶଗ୍ରହଣ ଦ୍ୱାରା ପରିଚାଳିତ ଏକ ଜାତୀୟ ଆନ୍ଦୋଳନ ବୋଲି ମତ ଦେଇଥିଲେ।ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ବୈଜ୍ଞାନିକ ପ୍ରମାଣକୁ ପ୍ରଭାବଶାଳୀ ଜନସ୍ୱାସ୍ଥ୍ୟ କାର୍ଯ୍ୟାନ୍ୱୟନରେ ପରିଣତ କରିବା ପାଇଁ ବାଚସ୍ପତି ଏମ୍ସ ଭୁବନେଶ୍ୱର, ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ସହଭାଗିତା ନିମନ୍ତେ ଆହ୍ୱାନ କରିଥିଲେ। ଅତ୍ୟାଧୁନିକ ଜିନୋଟାଇପିକ୍ ପରୀକ୍ଷା ସହିତ ଜଡିତ ପାଇଲଟ୍ ପଦକ୍ଷେପଗୁଡ଼ିକର ଅନୁସନ୍ଧାନ କରିବା ସହିତ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ଗୁରୁତ୍ବାରୋପ କରିଥିଲେ ଶ୍ରୀମତୀ ପାଢ଼ୀ।ଔଷଧ-ପ୍ରତିରୋଧୀ ଯକ୍ଷ୍ମା ଦ୍ୱାରା ଉପୁଜୁଥିବା ନିରନ୍ତର ଆହ୍ବାନକୁ ଆଲୋକପାତ କରି, ସେ ଔଷଧ ପ୍ରତିରୋଧର ପ୍ରାରମ୍ଭିକ ଚିହ୍ନଟ, ୟୁନିଭର୍ସାଲ ଡ୍ରଗ୍ ସସେପ୍ଟିବିଲିଟି ଟେଷ୍ଟିଂ (ୟୁଡିଏସ୍ଟି), ରୋଗୀ ଫଳାଫଳକୁ ଉନ୍ନତ କରିବା, ସଂକ୍ରମଣ ହ୍ରାସ କରିବା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ।ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପ୍ରଭାବଶାଳୀ ଯକ୍ଷ୍ମା ନିରାକରଣ ପାଇଁ ସରକାରୀ ସଂସ୍ଥା, ଚିକିତ୍ସା ପ୍ରତିଷ୍ଠାନ, ଗବେଷକ, ପରୀକ୍ଷାଗାର, ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମୀ, ଏବଂ ସମ୍ପ୍ରଦାୟର ସମନ୍ୱିତ ପ୍ରୟାସର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଶ୍ରୀ ମହାଲିଙ୍ଗ ରାଜ୍ୟ ସରକାରଙ୍କର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ଉନ୍ନତ ରୋଗ ନିର୍ଣ୍ଣୟ ପ୍ରଯୁକ୍ତିର ସମ୍ଭାବ୍ୟତା, ସୁଲଭତା ଏବଂ ମାପକାଠି ମୂଲ୍ୟାଙ୍କନ ପାଇଁ ପ୍ରମାଣ-ଆଧାରିତ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏମ୍ସ ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହିତ ସହଯୋଗ କରିବା ଉପରେ ଆଗ୍ରହ ପ୍ରକାଶ କରିଥିଲେ।ଏହି ଅବସରରେ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡ. ଆଶୁତୋଷ ବିଶ୍ୱାସ, ପୂର୍ବ ଭାରତ ପାଇଁ, ଟିବି ଗବେଷଣା, ମଲିକୁଲାର ଡାଇଗ୍ନୋଷ୍ଟିକ୍ସ, ଜିନୋଟାଇପିକ୍ ପରୀକ୍ଷା, ଏବଂ ପ୍ରମାଣ-ଆଧାରିତ ନୀତି ବିକାଶକୁ ଆଗକୁ ବଢ଼ାଇବା ପ୍ରତି ଏହାର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟାନ୍ୱୟନ ପାଇଁ ବୈଜ୍ଞାନିକ ପ୍ରମାଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱର ପାଇଲଟ୍ ଭିତ୍ତିରେ ଓଡ଼ିଶାର ଦୁଇଟି ଜିଲ୍ଲାରେ ଉନ୍ନତ ଯକ୍ଷ୍ମା ପରୀକ୍ଷା ଆରମ୍ଭ କରିବା ପାଇଁ ଆଲୋଚନା ଚାଲିଥିବା ଡ. ବିଶ୍ବାସ ସୂଚନା ପ୍ରଦାନ କରିଥିଲେ।ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ପିଆର୍ଏଫ ପ୍ରତିଷ୍ଠାତା ନନ୍ଦୀଶ ପିଠାନୀ, ସମ୍ମିଳନୀର ସାଂଗଠନିକ ସଭାପତି ଡ. ପ୍ରଶାନ୍ତ ରାଘବ ମହାପାତ୍ର, ସଂଗଠନ ସମ୍ପାଦକ ଡ. ସୌରିନ ଭୁୟାଁ ପ୍ରମୁଖ ଉଦ୍ଯାପନୀ ସମାରୋହରେ ମଞ୍ଚାସୀନ ଥିଲେ। ଏଥିସହିତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଏନ୍ଟିଇପିର ପ୍ରତିନିଧି, ବୈଜ୍ଞାନିକ, ଚିକିତ୍ସକ, ଅଣୁଜୀବବିଜ୍ଞାନୀ, ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ଗବେଷକ, ଏବଂ ସ୍ୱାସ୍ଥ୍ୟସେବା ବୃତ୍ତିଗତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।