ବାହ୍ୟଶକ୍ତିରୁ ଦୂରେଇ ରହିବାକୁ ଜେନ୍-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଏକତା ସୂତ୍ରରେ ବାନ୍ଧି ହୋଇ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ଵର, ୦୯/୦୮: ଆଜିଠୁ ଅଗଷ୍ଟ ୧୭ ଯାଏଁ ରାଜ୍ୟବ୍ୟାପୀ ପାଳନ ହେବ ‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଆଜି ରାଜ୍ୟସ୍ତରୀୟ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର ହାତିଆଶୁଣୀ ପଡ଼ିଆରୁ ଲୁମ୍ବିନ ବିହାର ଯାଏଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୨୦ ହଜାର ଛାତ୍ରଛାତ୍ରୀ, ଯୁବକ ଓ ଅନ୍ୟ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି।
ଭୁବନେଶ୍ୱର ସ୍ଥିତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଅଗଷ୍ଟ କ୍ରାନ୍ତିର ଗାଥାକୁ ମନେପକାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ ହୋଇଛି। ଆଜି ହର୍ ଘର ତ୍ରିରଙ୍ଗା ଅଭିଯାନ ଜନଆନ୍ଦୋଳନରେ ପରିଣତ ହୋଇଛି। ଆନ୍ଦୋଳନ ବେଳେ ମୁଖ୍ୟ ପ୍ରତୀକ ଥିଲା ତ୍ରିରଙ୍ଗା, ସ୍ଲୋଗାନ୍ ଥିଲା ବନ୍ଦେ ମାତରମ୍।
ଏକତା ସୂତ୍ରରେ ବାନ୍ଧି ହୋଇ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇ କହିଛନ୍ତି, ଭାରତୀୟ ଭାବେ ଏକସୂତ୍ରରେ ବାନ୍ଧି ହୋଇ ଦେଶ ପାଇଁ କାମ କରିବା। ଆଜି ଦେଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ଅର୍ଥନୀତିରେ ଆମେ ତୃତୀୟ ସ୍ଥାନ ଆଡ଼କୁ ଅଗ୍ରସର ହେଉଛୁ। ଦେଶର ବିକାଶରେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ।
ଘରେ ଘରେ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ GEN-Zଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜେନ୍-ଜିଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ଯୁବଶକ୍ତିଙ୍କୁ ସଶକ୍ତ ଓ ସୁଦୃଢ଼ କରିବାକୁ ମୋଦି ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ଡିଜିଟାଲ ଯୁଗରେ ଦେଶ ବାହାରୁ ଯୁବବର୍ଗଙ୍କୁ ଭ୍ରମିତ କରାଯାଉଛି। ସୋସିଆଲ ମିଡିଆର ଅପବ୍ୟବହାର ଓ ନିଶାଦ୍ରବ୍ୟର କୁପ୍ରଭାବ ଯୁବକଙ୍କୁ ପଥଭ୍ରଷ୍ଟ କରୁଛି। ତେଣୁ ଆଜିର ଯୁବବର୍ଗ ବାହ୍ୟଶକ୍ତିରୁ ଦୂରେଇ ରହିବା ଦରକାର। କୌଣସି ବାହ୍ୟଶକ୍ତି ଯୁବବର୍ଗଙ୍କୁ ଦୁର୍ବଳ କରିପାରିବ ନାହିଁ। ଆଜିର ଯାତ୍ରାର ମୂଳ ଉଦ୍ଦେଶ୍ୟ ଏକ ହୋଇ ରହିବା। ଏହି ଏକତା ହିଁ ବାହ୍ୟଶକ୍ତିକୁ ଉଚିତ୍ ଜବାବ ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମୟରେ ୬୦ଲକ୍ଷ ତ୍ରିରଙ୍ଗା SHG ମହିଳାଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ବେଳେ ସବୁ ଜିଲ୍ଲାରେ ଏହାକୁ ବଣ୍ଟନ କରାଯିବ।