ନୂଆଦିଲ୍ଲୀ, ୧୧/୦୮: ଦିଲ୍ଲୀ ଏବଂ ଏହାର ଆଖପାଖ ସହରାଞ୍ଚଳ (ଦିଲ୍ଲୀ-ଏନସିଆର୍)ରେ ଏଚ୍୧ଏନ୍୧ ଭୂତାଣୁ ବା ସ୍ୱାଇନ୍ ଫ୍ଲୁର ପ୍ରକୋପ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗ ଏହି ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି।
ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ପ୍ରାୟ ୧,୩୪୪ ଜଣ ଏଚ୍୧ଏନ୍୧ ରେ ସଂକ୍ରମିତ ହେଲେଣି। ଗତବର୍ଷ ଏହି ସମୟରେ ମାତ୍ର ୨୨୯ ଟି ମାମଲା ଥିଲା। ଯାହା ଚଳିତ ବର୍ଷ ପ୍ରାୟ ୬ ଗୁଣା ଅଧିକ। ମୌସୁମୀ ସମୟରେ ଏହି ଭୂତାଣୁ ସଂକ୍ରମଣ ବଢ଼ିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପଙ୍କଜ ସିଂହ କହିଛନ୍ତି। ସେ କହିଛନ୍ତି ଯେ ନିୟମିତ ପରୀକ୍ଷା ଚାଲିଛି ଏବଂ ଅଧିକାଂଶ ରୋଗୀ ଚିକିତ୍ସା ହୋଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସରକାରୀ ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ଏହି ରୋଗରେ କୌଣସି ମୃତ୍ୟୁ ହୋଇନାହିଁ ବୋଲି ଦାବି କରାଯାଇଛି। ତେବେ କିଛି ରିପୋର୍ଟରେ ଏକ ଛୋଟ ପିଲାର ମୃତ୍ୟୁ ହୋଇଥିବା କୁହାଯାଉଛି।
ଦିଲ୍ଲୀ ସହିତ ଗୁରଗାଓଁ, ଫରିଦାବାଦ୍ ଆଦି ଆଖପାଖ ଅଞ୍ଚଳରେ ମଧ୍ୟ ରୋଗୀ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି। ଜ୍ୱର, କାଶ ଓ ଗଳା ଯନ୍ତ୍ରଣା ଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ଏହି ସଂକ୍ରମଣର ଲକ୍ଷଣ ହେଉଛି ପ୍ରବଳ ଜ୍ୱର, ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ନାକ ବନ୍ଦ ହୋଇଯିବା, ଶରୀର ଯନ୍ତ୍ରଣା ଓ ଥକାପଣ, ମୁଣ୍ଡବ୍ୟଥା, କେତେକ କ୍ଷେତ୍ରରେ ବାନ୍ତି ମଧ୍ୟ ହୋଇଥାଏ।
ସାଧାରଣ ସୁସ୍ଥ ଲୋକଙ୍କ ପାଇଁ ଏହା ସାଧାରଣତଃ ଗୁରୁତର ନୁହେଁ। କିନ୍ତୁ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଛୋଟ ପିଲା, ମଧୁମେହ, ହୃଦରୋଗ ବା ଫୁସଫୁସ ରୋଗ ଥିବା ଲୋକଙ୍କୁ ସତର୍କ ରହିବା ଉଚିତ୍।
ଏହା ଏକ ଭାଇରସ୍ ସଂକ୍ରମଣ ହୋଇଥିବାରୁ ଆଣ୍ଟିବାୟୋଟିକ୍ କାମ କରେ ନାହିଁ। ଗୁରୁତର କ୍ଷେତ୍ରରେ ଡାକ୍ତର ଆଣ୍ଟିଭାଇରାଲ୍ ଔଷଧ ଦେଇପାରନ୍ତି।