OCS ପରୀକ୍ଷା ନିୟମ କୋହଳ କଲେ ମୁଖ୍ୟମନ୍ତ୍ରୀ

ସର୍ବାଧିକ ୬ଟି ସୁଯୋଗକୁ ଉଠାଇଦେବାକୁ ଘୋଷଣା

ଭୁବନେଶ୍ୱର, ୧୫/୦୮: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ସିଭିଲ୍ ସର୍ଭିସ୍‌ (OCS) ପରୀକ୍ଷାରେ ଆଉ ରହିବ ନାହିଁ ସର୍ବାଧିକ ୬ ଥର ପରୀକ୍ଷା ଦେବାର ସୀମା। ଏଥିସହ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷରୁ ବଢ଼ାଇ ୪୨ ବର୍ଷ କରାଯାଇଛି।

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି। ସୀମିତ ସଂଖ୍ୟକ ସରକାରୀ ପଦବୀ ପାଇଁ ପ୍ରତିଯୋଗିତା ଅଧିକ ଥିବାରୁ ଚାକିରି ଆଶାୟୀଙ୍କୁ ଅଧିକ ସୁଯୋଗ ଦେବା ଉଦ୍ଦେଶ୍ୟରେ ସରକାର ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ଚାକିରି ସଂଖ୍ୟା ସୀମିତ ଥିବା ବେଳେ ପ୍ରତ୍ୟେକ ପଦବୀ ପାଇଁ ପ୍ରତିଯୋଗିତା ବହୁତ ଅଧିକ। ତେଣୁ ଆଶାୟୀମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି।

ଏହାସହ OCS ପରୀକ୍ଷାରେ ପୂର୍ବରୁ ଥିବା ସର୍ବାଧିକ ୬ଟି ପ୍ରୟାସର ନିୟମକୁ ହଟାଇ ଦିଆଯାଇଛି। ଏଣିକି ନିର୍ଦ୍ଧାରିତ ସର୍ବୋଚ୍ଚ ବୟସ ସୀମା ମଧ୍ୟରେ ଥିବା ଯୋଗ୍ୟ ପ୍ରାର୍ଥୀମାନେ ପରୀକ୍ଷା ଦେଇପାରିବେ।

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ହେଉଥିବା ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ମଧ୍ୟ କିଛି ନିୟମ କୋହଳ କରାଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପରୀକ୍ଷାରେ ଦୁର୍ନୀତିକୁ ନେଇ କଠୋର ଚେତାବନୀ

ଏହି ଅବସରରେ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷାରେ ସାମାନ୍ୟତମ ଅନିୟମିତତା ହେଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ପରୀକ୍ଷାରେ ଦୁର୍ନୀତି ଓ ଅନିୟମିତତାକୁ ସରକାର କୌଣସି ପରିସ୍ଥିତିରେ ବରଦାସ୍ତ କରିବେ ନାହିଁ। ପରୀକ୍ଷା ମାଫିଆଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନାରେ ଥିବା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏନେଇ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି।

ଦୁର୍ନୀତି ବିରୋଧରେ ‘ଜିରୋ ଟଲରେନ୍ସ’

ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଦୁର୍ନୀତି ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଛନ୍ତି। PIO ଠାରୁ IAS ଏବଂ ନବନିଯୁକ୍ତ ଅଧିକାରୀଙ୍କଠାରୁ ଅବସରପ୍ରାପ୍ତ ଅଧିକାରୀଙ୍କ ପର୍ଯ୍ୟନ୍ତ ଦୁର୍ନୀତିରେ ଲିପ୍ତ କାହାକୁ ମଧ୍ୟ ଛଡ଼ାଯିବ ନାହିଁ। ସରକାରଙ୍କ ଦୁର୍ନୀତି ବିରୋଧୀ ପଦକ୍ଷେପ ଯୋଗୁଁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ରହିଛି ବୋଲି ସେ କହିଛନ୍ତି।

୧୮ଟି ଅଧିବେଶନରେ ୧୫ ହଜାର ଅଭିଯୋଗ

ଶାସନ ବ୍ୟବସ୍ଥାରେ ସୁଧାର ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସରକାର କ୍ଷମତାକୁ ଆସିବା ପରଠାରୁ ୧୮ଟି ଜନଶୁଣାଣି ଅଧିବେଶନରେ ପ୍ରାୟ ୧୫ ହଜାର ଅଭିଯୋଗ ଶୁଣାଯାଇଛି। ସେଥିରୁ ୯୬ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଥିବା ସେ କହିଛନ୍ତି।

ରାଜ୍ୟସ୍ତରରୁ ବ୍ଲକସ୍ତର ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଓ ସମାଧାନ ପ୍ରକ୍ରିୟା ନିୟମିତ ଭାବେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱଚ୍ଛ, ପାରଦର୍ଶୀ ଓ ଦୁର୍ନୀତିମୁକ୍ତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସରକାରୀ କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ସରକାରଙ୍କ ନଜର ରହିଛି ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।