ସାଂସଦଙ୍କ ପୁଅଙ୍କ ଗାଡ଼ି ଧକ୍କାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ
ରାସ୍ତା ପାର୍ ବେଳେ ସାଂସଦଙ୍କ ପୁଅଙ୍କ ବିଳାସପୂର୍ଣ୍ଣ କାର୍ ଧକ୍କାରେ ମୃତ୍ୟୁ
ହାଇଦ୍ରାବାଦ, ୨୧/୦୮: ହାଇଦ୍ରାବାଦର ମାଧାପୁର ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ଜନସେନା ପାର୍ଟିର ରାଜ୍ୟସଭା ସାଂସଦ ଲିଙ୍ଗମନେନି ରମେଶଙ୍କ ପୁଅ ଲିଙ୍ଗମନେନି ସଞ୍ଜୁଷ ଚଳାଉଥିବା ଏକ ଆଷ୍ଟନ୍ ମାର୍ଟିନ୍ କାର୍ ଧକ୍କାରେ ୨୬ ବର୍ଷୀୟା ଭାରତୀ ମୁଖୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।
ଘଟଣାଟି ଅଗଷ୍ଟ ୧୬ ତାରିଖରେ ମାଧାପୁରସ୍ଥିତ ଇନୋର୍ବିଟ୍ ମଲ୍ ନିକଟରେ ଘଟିଥିଲା। ଭାରତୀ ମଲ୍ର ଏକ ଷ୍ଟୋର୍ରେ କାମ କରୁଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ଜଣେ ସହକର୍ମୀଙ୍କ ସହ ବାହାରକୁ ଯାଇ ଫେରୁଥିବା ବେଳେ ସେ ରାସ୍ତା ପାର୍ ହେଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା କାର୍ ତାଙ୍କୁ ଧକ୍କା ଦେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।
ଦୁର୍ଘଟଣାରେ ଭାରତୀ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ମଲ୍ର ଅଧିକାରୀଙ୍କ ଅଭିଯୋଗ ଆଧାରରେ ମାଧାପୁର ପୋଲିସ ମାମଲା ରୁଜୁ କରିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଆଷ୍ଟନ୍ ମାର୍ଟିନ୍ କାର୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ରକ୍ତ ନମୁନା ମଧ୍ୟ ଫରେନସିକ୍ ସାଇନ୍ସ ଲାବୋରେଟୋରୀ (FSL)କୁ ପଠାଯାଇଛି। ପ୍ରାଥମିକ ଭାବେ ତାଙ୍କର ଆଲକୋହଲ୍ ଓ ଡ୍ରଗ୍ସ ଟେଷ୍ଟ ନେଗେଟିଭ୍ ଆସିଥିବା ରିପୋର୍ଟ ରହିଛି।
ଏହି ଘଟଣାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସଞ୍ଜୁଷଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ପୋଲିସ ତାଙ୍କୁ ନୋଟିସ୍ ଜାରି କରିଛି। ଅନ୍ୟପକ୍ଷରେ, ସଞ୍ଜୁଷଙ୍କ କହିବା ଅନୁସାରେ ସେ ଘଟଣାସ୍ଥଳରୁ ଚାଲିଯାଇନଥିଲେ; ବରଂ ଆହତ ଭାରତୀଙ୍କୁ ନିଜ ଗାଡ଼ିରେ ହସ୍ପିଟାଲକୁ ନେଇଯାଇଥିଲେ।