ଖେଳ ପଡିଆ ନିର୍ମାଣ କାର୍ଯ୍ୟ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୮ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏକ  ବିବାଦୀୟ ଜମିରେ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭକୁ ନେଇ ଗୋଷ୍ଠି ସଂଘର୍ଷ ହୋଇଛିl ଏଥିରେ ମହିଳା ସମେତ ଆହତ ଆଠ ଜଣଙ୍କୁ  ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲରେ ଭର୍ତ୍ତୀ କରାଯାଇଥିଲା l ସୀମା ବିବାଦ ନେଇ ବାଲିଗୁଡା ଥାନା ଅନ୍ତର୍ଗତ ମାଦିନାଟ ଓ ବାଲିସୁଗାଁ ଗାଁ ରେ ପୂର୍ବରୁ ବହୁବାର ଗଣ୍ଡଗୋଳ ହୋଇଥିଲା l ପୋଲିସ ପ୍ରଶାସନ ଏବଂ ରାଜସ୍ଵ ବିଭାଗ ହସ୍ତକ୍ଷେପ ପରେ ଉକ୍ତ ଜମିକୁ କେହିବି ନଯିବାପାଇଁ କୁହାଯାଇଥିଲା l

ବିବାଦଥିବା ସତ୍ତ୍ୱେ ଉକ୍ତ ଜମିରେ ଠିକାଦାର ଅନ୍ୟ ଏକ ଗୋଷ୍ଠୀକୁ ଧରି ମହୁଲଗଛ , ଶାଳ ଗଛ ଆଦି ବେଆଇନ ଭାବେ କାଟି ଜେସିବି ଲଗାଇ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଅନ୍ୟଏକ ଗୋଷ୍ଠୀ ବିରୋଧ କରିଥିଲେ l ଫଳରେ ଅନ୍ୟ ଗୋଷ୍ଠୀ  ମାଡ଼ ମାରିବାରୁ ଜଣେ ମହିଳାଙ୍କ  ସମେତ ଆଠଜଣ ଆହତ ହୋଇ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି l  ମାଦିନାଟ ଗ୍ରାମବାସୀଙ୍କ ବିରୋଧରେ ବାଲିସୁଗା ଗ୍ରାମବାସୀ ବାଲିଗୁଡା ଥାନାରେ ଅଭିଯୋଗ କରିଛନ୍ତି।  ଏନେଇ ପୋଲିସ ତଦନ୍ତ ଜାରି ରଖିଛି l ବିବାଦୀୟ ଜମିରେ ବିବାଦ ସମାଧାନ ନ କରି  ବ୍ଲକ ପ୍ରଶାସନ କିଭଳି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ଦେଉଛନ୍ତି ସେ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି।