ସମ୍ବଲପୁର, ୨୮/୦୮: ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଗୁଳି କରି ହତ୍ୟା। ଏଭଳି ଭୟଙ୍କର ହତ୍ୟାକାଣ୍ଡ ଘଟିଯାଇଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ। ଜଣେ ମାଂସ ଦୋକାନୀଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଛକ ନିକଟରେ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଦୋକାନୀ ନିଜ ଦୋକାନରେ ଥିବା ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଆକ୍ରମଣକାରୀମାନେ ୩ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। ଗୁଳିରୁ ଗୋଟିଏ ମୁଣ୍ଡରେ ଏବଂ ଦୁଇଟି ଦେହରେ ବାଜିଥିବା ପ୍ରାଥମିକ ସୂଚନା ରହିଛି। ଗୁରୁତର ଆହତ ହୋଇ ଦୋକାନୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣାରେ ତଦନ୍ତ ଚାଲିଛି।
ପୋଲିସ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ସହ ଆଖପାଖ ଅଞ୍ଚଳର ଲୋକଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି।