ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ

ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ

ଢେଙ୍କାନାଳ, ୨୯/୦୯: ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ପାରିବାରିକ ବିବାଦରୁ ଘଟିଛି ନିର୍ମମ ହତ୍ୟାକାଣ୍ଡ। ଢେଙ୍କାନାଳ ସଦର ଥାନା ଅଧୀନ ଅଇନ୍ଦିପୁର ଜୁଆଙ୍ଗ ସାହିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ମୃତଦେହକୁ ଲୁଚାଇବା ପାଇଁ ପାଇଖାନା ଟାଙ୍କିରେ ପୋତି ଦେଇଥିବା ହୋଇଛି।

ସୂଚନା ଅନୁସାରେ, ସୁଭଦ୍ରା ଯୋଜନାରେ ମିଳୁଥିବା ଟଙ୍କାକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିଥିଲା। ନିଶାସକ୍ତ ଅବସ୍ଥାରେ ସ୍ୱାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଘରେ ଥିବା ଏକ ବାଡ଼ି ଓ ଶାବଳରେ ଆକ୍ରମଣ କରିଥିଲା। ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ମୃତଦେହକୁ ଲୁଚାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମୃତଦେହକୁ ପାଇଖାନା ଟାଙ୍କି ଭିତରେ ପୋତି ଦିଆଯାଇଥିବା ଜଣାପଡ଼ିବା ପରେ ଏହି ଘଟଣା ସାମନାକୁ ଆସିଥିଲା। ଖବର ପାଇ ସଦର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପରେ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି।