ନବରଙ୍ଗପୁର, ୩୦/୦୮: ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ପରଲୋକ ଘଟିଛି। ରବିବାର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ୮୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଡମ୍ବରୁ ମାଝୀ ୫ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଡାବୁଗାଁ ଏବଂ କୋଡ଼ିଙ୍ଗା ଅଞ୍ଚଳର ପ୍ରତିନିଧି ଭାବେ ସେ ରାଜ୍ୟ ରାଜନୀତିରେ ସକ୍ରିୟ ଥିଲେ। ୧୯୬୭ ଓ ୧୯୭୧ରେ ସେ ଡାବୁଗାଁ ଆସନରୁ ନିର୍ବାଚିତ ହୋଇଥିଲେ।
ଡମ୍ବରୁ ମାଝୀ ଏକାଧିକ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ୧୯୬୭ ମସିହାରେ ସେ ପରିବହନ ମନ୍ତ୍ରୀ ଥିଲେ। ୧୯୭୨ରେ ସେ କୃଷି ଓ ସମବାୟ ସହ ପରିବହନ ବିଭାଗର ଦାୟିତ୍ୱରେ ଥିଲେ। ଏହା ପରେ ୧୯୭୩ରେ ସେ ଜଳସେଚନ ଓ ଶକ୍ତି ବିଭାଗର ମନ୍ତ୍ରୀ ଥିଲେ।
୧୯୮୯ ମସିହାରେ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ଡମ୍ବରୁ ମାଝୀ ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ।
ଅବିଭକ୍ତ କୋରାପୁଟ ତଥା ନବରଙ୍ଗପୁର ଅଞ୍ଚଳର ରାଜନୀତିରେ ଡମ୍ବରୁ ମାଝୀଙ୍କର ଦୀର୍ଘଦିନର ପ୍ରଭାବ ରହିଥିଲା। ତାଙ୍କ ବିୟୋଗ ପରେ ନବରଙ୍ଗପୁର ଜିଲ୍ଲା ସମେତ ରାଜ୍ୟର ରାଜନୈତିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।