ଭରଣପୋଷଣ ପାଇଁ ଖର୍ଚ୍ଚ ନ‌ଦେଲେ ଦରମା କାଟ୍

ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର, ୩୦/୦୮: ଛାଡ଼ପତ୍ର ପରେ ପତ୍ନୀ କିମ୍ବା ସନ୍ତାନସନ୍ତତିଙ୍କୁ ଦେବାକୁ ଥିବା ଭରଣପୋଷଣ ଟଙ୍କା ପ୍ରଦାନରେ ଅବହେଳା କଲେ ଆଉ ଚଳିବ ନାହିଁ। ଏନେଇ ସରକାରୀ କର୍ମଚାରୀଙ୍କ ପାଇଁ କଡ଼ା ଆଭିମୁଖ୍ୟ ନେବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅଦାଲତଙ୍କ ନିର୍ଦ୍ଦେଶ କିମ୍ବା ଆଇନ ଅନୁଯାୟୀ ପତ୍ନୀ ଓ ସନ୍ତାନସନ୍ତତିଙ୍କୁ ଦେବାକୁ ଥିବା ଭରଣପୋଷଣ ରାଶି ଠିକ୍‌ ସମୟରେ ଦିଆଯାଉନଥିଲେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ। ବିଶେଷକରି, ଭରଣପୋଷଣ ଖର୍ଚ୍ଚ ଦେବାରେ ଜାଣିଶୁଣି ଅବହେଳା କରୁଥିବା କର୍ମଚାରୀଙ୍କ ଦରମାରୁ ଟଙ୍କା କାଟି ଦିଆଯିବ।

ସରକାରୀ କର୍ମଚାରୀଙ୍କ ଦରମାରୁ ଆବଶ୍ୟକ ରାଶି କାଟି ପତ୍ନୀ କିମ୍ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇବା ବ୍ୟବସ୍ଥା କରାଯିବ। ଫଳରେ ଭରଣପୋଷଣ ଟଙ୍କା ପାଇବା ପାଇଁ ସମ୍ପୃକ୍ତ ପରିବାରକୁ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ଛାଡ଼ପତ୍ର କିମ୍ବା ପରିବାରିକ ବିବାଦ ପରେ ଆଇନଗତ ଭାବେ ଭରଣପୋଷଣ ପାଇବାକୁ ହକଦାର ଥିବା ପତ୍ନୀ ଓ ପିଲାମାନେ ସେମାନଙ୍କ ହକ୍ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ଆସିବା ପରେ ଏଭଳି କଡ଼ା ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବେଳେ ବାରମ୍ବାର ଏଭଳି ଅଭିଯୋଗ ଆସୁଥିବାରୁ ଏହି ପଦକ୍ଷେପ ନିଆଯାଇଛି।