ଅହମ୍ମଦାବାଦ ୨୪।୧୧: ମୋରବି ଝୁଲା ପୋଲ ଦୁର୍ଘଟଣାକୁ ନେଇ ଗୁଜରାଟ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ଅନ୍ୟ ପୋଲ ଓ ସେତୁ ମାନଙ୍କର ସୁରକ୍ଷା ନେଇ କୋର୍ଟ ପ୍ରଶ୍ନ ଉଠାଇଥିବା ବେଳେ ପୋଲ ମାନଙ୍କର ମାନ ନିର୍ଦ୍ଧାରଣ ନିମନ୍ତେ ସର୍ଭେକ୍ଷଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୋର୍ଟ ରାଜ୍ୟ ସରକାରଙ୍କୁ କେତୋଟି ପୋଲ ଭଲ ସ୍ଥିତିରେଅଛି ତାହା ସୁନିଶ୍ଚିତ କରିବାକୁ କହିଛନ୍ତି।
ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ରାଜ୍ୟରେ ଥିବା ସମସ୍ତ ପୋଲର ସୂଚୀ ମାଗିଛନ୍ତି। ଯେଉଁଥିରେ କେତୋଟି ପୋଲ ସ୍ୱଭାବିକ ସ୍ଥିତିରେ ରହିଛି ତାହା ଜଣାଇବାକୁ କୁହାଯାଇଛି। ସେହିପରି କୋର୍ଟଙ୍କୁ ସରକାର ଦେଉଥିବା ରିପୋର୍ଟ ପ୍ରମାଣିତ ହୋଇଥିବା ମଧ୍ୟ ଦରକାର ବୋଲି ସ୍ପଷ୍ଟ କରିଦେଇଛନ୍ତି। କୋର୍ଟ ରାଜ୍ୟରେ ଏପରି ତନ୍ତ୍ର ବିକଶିତ କରିବାକୁ ସରକାରଙ୍କୁ କହିଛନ୍ତି ଯେଉଁଥିରେ ଆଗକୁ ଏପରି ପୋଲ ଦୁର୍ଘଟଣା ନ ହୁଏ ତାହା ସୁନିଶ୍ଚିତ କରନ୍ତୁ।