ନୂଆଦିଲ୍ଲୀ ୨୪।୧୧: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲ ସିସିଟିଭି ଫୁଟେଜର ଭିଡିଓ ମିଡିଆରେ ଲିକ୍ ହେବା ନେଇ ରାଉଜ ଏଭେନ୍ୟୁ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ଏଥିରେ ସତ୍ୟେନ୍ଦ୍ର ଜୈନ ମିଡିଆରେ ଭିଡିଓର ପ୍ରସାରଣ ରୋକିବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ ରାଉଜ ଏଭେନ୍ୟୁ କୋର୍ଟ ଜୈନଙ୍କ ପିଟିସନ ଆଧାରରେ କୌଣସି ଆଦେଶ ଦେବାକୁ ମନା କରିଦେଇଛନ୍ତି।
ଅନ୍ୟପକ୍ଷରେ ରାଉଜ ଏଭେନ୍ୟୁ କୋର୍ଟଙ୍କ ନିଷ୍ପତ୍ତି ପରେ ଜୈନଙ୍କ ଓକିଲ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟକୁ ଯିବେ ବୋଲି ଗୁରୁବାର କହିଛନ୍ତି। ତେବେ କୋର୍ଟରେ ଭିଡିଓ ଲିକ୍ ମାମଲାର ଶୁଣାଣିରେ ଓକିଲ ଗତ ୨୪ ଘଣ୍ଟାରେ ନା ସୋସିଆଲ ମିଡିଆରେ କିଛି ଚାଲିଛି ନା ଗଣମାଧ୍ୟମରେ କିଛି ଚାଲିଥିଲା ବୋଲି କୋର୍ଟଙ୍କୁ କହିଛନ୍ତି। ତେବେ ଏ ବାବଦେ କୋର୍ଟ ଏକ ଆଦେଶ ଗୃହୀତ କଲେ ଏ ସବୁ ବନ୍ଦ ହୋଇଯିବ ବୋଲି କହିଥିଲେ।