ଡିସେମ୍ବର ୭ରୁ ୨୯ ଶୀତ ଅଧିବେଶନ, ୬ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଡିସେମ୍ବରରେ ବସିବ ଶୀତକାଳୀନ ଅଧିବେଶନ । ଡିସେମ୍ବର ୭ରୁ ୨୯ତାରିଖ ପର୍ଯ୍ୟନ୍ତ ସଂସଦରେ ଶୀତକାଳୀନ ଅଧିବେଶନ ଚାଲିବ । ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ଡିସେମ୍ବର ୬ ତାରିଖ ଦିନ ୧୧ଟାରେ ସର୍ବଦଳୀୟ ବୈଠକ ବସିବ । ଶାନ୍ତି ଶୃଙ୍ଖଳାରେ କିପରି ଶୀତ ଅଧିବେଶ ଚାଲିବ ସେନେଇ ବିଭିନ୍ନ ରାଜନୈତିକ ଦଳମାନଙ୍କର ସହଯୋଗ ଲୋଡିଛନ୍ତି ସରକାର ।

ଶୁକ୍ରବାର ସଂସଦୀୟ କାର୍ଯ୍ୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଡିସେମ୍ବର ୬ତାରିଖରେ ସର୍ବଦଳୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି । ଚଳିତ ଶୀତ ଅଧିବେଶ ଡିସେମ୍ବର ୭ରୁ ଆରମ୍ଭ ହୋଇ ଡିସେମ୍ବର ୨୯ ତାରିଖରେ ଶେଷ ହେବ । ଏନେଇ ଲୋକସଭା ଓ ରାଜ୍ୟସଭା ପକ୍ଷରୁ ଭିନ୍ନ ଭିନ୍ନ ଅଧିସୂଚନା ଜାରି କରାଯାଇଛି । ୧୦ମ ଲୋକସଭା ଅଧିବେଶନରେ ୧୭ଟି କାର୍ଯ୍ୟ ଦିବସ ରହିଛି । ଶୀତକାଳୀନ ଅଧିବେଶନରେ ବିଭିନ୍ନ ପ୍ରସଂଗ ଉପରେ ଆଲୋଚନା ହେବ । ବିଭିନ୍ନ ମୁଦ୍ଦାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ବିରୋଧୀ । ସରକାରଙ୍କ ମଧ୍ୟ ବିରୋଧୀଙ୍କୁ ଜବାବ ଦେବା ପ୍ରସ୍ତୁତି କରିଦେଇଛି ।

ସୂଚନା ଅନୁଯାୟୀ, ଡିସେମ୍ବରରେ ହେବାକୁ ଶୀତ ଅଧିବେଶନ ପୂରୁଣା ସଂସଦ ଭବନରେ ହେବ । ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ବର୍ଷ ଶେଷରେ ସମ୍ପୂର୍ଣ୍ଣ ହେବ। ଅଧିବେଶକୁ ଶାନ୍ତି ଶୃଙ୍ଖଳା ସହିତ ଚଳାଇବା ବିଭିନ୍ନ ରାଜନୈତିକ ଦଳ ମାନଙ୍କର ସହଯୋଗ ଲୋଡ଼ିଛନ୍ତି ସରକାର ।