ଜମ୍ମୁ-କଶ୍ମୀର, ୦୫/୦୯: ଜମ୍ମୁ-କଶ୍ମୀରର ବଡଗାମ ଜିଲ୍ଲାରେ ସୁରକ୍ଷାବାହିନୀକୁ ଆତଙ୍କବାଦ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ଆସଦାର ଗଲି ଅଞ୍ଚଳରେ ଚାଲିଥିବା ଅପରେସନ୍ ଆସଦାରରେ ଜଣେ ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସେନା, ଜମ୍ମୁ-କଶ୍ମୀର ପୋଲିସ ଓ CRPFର ମିଳିତ ଟିମ୍ ଅଶଦର ଗଲିର ଘନ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଥିଲା। ସନ୍ଦିଗ୍ଧ ଗତିବିଧି ନେଇ ସୂଚନା ମିଳିବା ପରେ ଅଞ୍ଚଳକୁ ଘେରାଉ କରାଯାଇଥିଲା। ଏହି ସମୟରେ ଆତଙ୍କୀଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଥିଲା।
ଏଥିରେ ଜଣେ ଆତଙ୍କୀ ନିପାତ ହୋଇଛି। ଘଟଣାସ୍ଥଳରୁ ଏକ AK ରାଇଫଲ ସମେତ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ନିପାତ ହୋଇଥିବା ଆତଙ୍କୀ ୟାସିର ଜଣେ ଲସ୍କର-ଏ-ତୋଏବା କମାଣ୍ଡର ଏବଂ ସେ ପାକିସ୍ତାନୀ ନାଗରିକ ବୋଲି ଜମ୍ମୁ-କଶ୍ମୀର ପୋଲିସ ସ୍ପଷ୍ଟ କରିଛି।
ଅନ୍ୟପଟେ, ଆଉ ଜଣେ ଆତଙ୍କୀ ଜଙ୍ଗଲ ଭିତରେ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀ ତଲାସୀ ଅଭିଯାନ ଜାରି ରଖିଛନ୍ତି। ଆଖପାଖ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।