ମୁମ୍ବାଇ: ରାମଦେବ ବାବାଙ୍କ ବିବାଦୀୟ ବୟାନ । ମହିଳାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ଯୋଗଗୁରୁ । ମହିଳାଙ୍କ ବେଶଭୁସା ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି । ନାରୀ ବିନା କପଡ଼ାରେ ସୁନ୍ଦର ଦେଖାଯାନ୍ତି ବୋଲି ରାମଦେବ ବାବା କହିଛନ୍ତି । ମୁମ୍ବାଇରେ ଏକ ଯୋଗ ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଏଭଳି ଟିପ୍ପଣୀ ଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଦେଶରେ ବାବା ଓ ବିବାଦ ଅନୁପୂରକ । ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଯୋଗଗୁରୁ ରାମଦେବ ବାବା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ନାରୀଙ୍କ ବେଶ ପୋଷାକକୁ ନେଇ ଟିପ୍ପଣୀ ଦେଇଛନ୍ତି । ନାରୀ ଶାଢିରେ ସୁନ୍ଦର ଦେଖାଯାଆନ୍ତି, ଡ୍ରେସ୍ ପିନ୍ଧିଲେ ବି ସୁନ୍ଦରୀ ଦିସନ୍ତି ଏବଂ ବିନା କପଡ଼ାରେ ମଧ୍ୟ ସୁନ୍ଦର ଲାଗନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତେବେ ଯୋଗଗୁରୁଙ୍କ ଏଭଳି ବିଚାରକୁ ଆପତ୍ତି ଉଠାଇଛନ୍ତି ସାମାଜିକ କର୍ମୀ ।
ପତାଞ୍ଜଳୀ ଯୋଗପୀଠ ଓ ମୁମ୍ବାଇ ମହିଳା ପତାଞ୍ଜଳୀ ସମିତି ଦ୍ବାରା ଆୟୋଜିତ ଯୋଗ ବିଜ୍ଞାନ ଶିବିରରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯୋଗ ଶିବିରରେ ମହିଳାମାନଙ୍କୁ ବସ୍ତ୍ର ପରିବର୍ତ୍ତନ ପାଇଁ କୁହାଯାଇଥିଲା । ହେଲେ ବସ୍ତ୍ର ପରିବର୍ତ୍ତନ କରିବାକୁ ସ୍ବତନ୍ତ୍ର ଗୃହ ନଥିବାରୁ ସମାନ ପୋଷାକ ପିନ୍ଧି ମହିଳାମାନେ ଯୋଗ ଶିକ୍ଷା ନେଇଥିଲେ । ଏହାକୁ ଦେଖି ମହିଳା ବିନା କପଡ଼ାରେ ସୁନ୍ଦର ଦେଖାଯାଆନ୍ତି ବୋଲି ରାମଦେବ ବାବା କହିଥିଲେ । ଯୋଗଗୁରୁଙ୍କ ଏଭଳି ଟିପ୍ପଣୀକୁ ଘୋର ବିରୋଧ କରିଛନ୍ତି ସାମାଜିକ କର୍ମୀ ।