ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ଚାଲାଣ ହେଉଥିଲା ଓରାଙ୍ଗଉଟାନ: RCCF

‘ଚେକିଂ ଏଡାଇବାକୁ ନିର୍ଜନ ରାସ୍ତା ବାଛିଥିଲେ ଚୋରା ଚାଲାଣକାରୀ’

ବାଲେଶ୍ୱର, ୧୦/୦୯: ବାଲେଶ୍ୱର ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ନେଇ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଓରାଙ୍ଗଉଟାନ୍‌ମାନଙ୍କୁ ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ଓଡ଼ିଶା ଭିତରକୁ ଚାଲାଣ କରାଯାଉଥିବା ନେଇ ସୂଚନା ଦେଇଛନ୍ତି RCCF ପ୍ରକାଶ ଚାନ୍ଦ ଗୋଗିନେନି। ଚାଲାଣକାରୀମାନେ ଜାତୀୟ ରାଜପଥକୁ ଏଡ଼ାଇ ନିର୍ଜନ ଗାଁ ଓ ଇଣ୍ଟେରିଅର ରାସ୍ତାକୁ ବ୍ୟବହାର କରୁଥିବା ତଦନ୍ତରୁ ଜଣାପଡ଼ିଥିବା ସେ କହିଛନ୍ତି।

RCCFଙ୍କ କହିବା ଅନୁସାରେ, ଜାତୀୟ ରାଜପଥରେ ନିୟମିତ ଭାବେ ଚେକିଂ ଓ ଯାଞ୍ଚ ହେଉଥିବାରୁ ଚାଲାଣକାରୀମାନେ ସେହି ରାସ୍ତାକୁ ଏଡ଼ାଇଥିବା ସନ୍ଦେହ କରାଯାଉଛି। ଏହା ବଦଳରେ ଗାଁ ଭିତର ନିର୍ଜନ ରାସ୍ତା ଦେଇ ଓରାଙ୍ଗଉଟାନ୍‌ମାନଙ୍କୁ ନେଇ ଆସୁଥିଲେ। ଏହି ରାସ୍ତାଗୁଡ଼ିକରେ ସାଧାରଣତଃ ଯାଞ୍ଚ କମ୍ ଥିବାରୁ ଚାଲାଣ ପାଇଁ ଏହାକୁ ସୁବିଧାଜନକ ରୁଟ୍ ଭାବେ ବ୍ୟବହାର କରାଯାଉଥିବା ତଦନ୍ତକାରୀମାନେ ଅନୁମାନ କରୁଛନ୍ତି।

ଏବେ ତଦନ୍ତକାରୀଙ୍କ ନଜରରେ ରହିଛି ଏହି ସମ୍ଭାବ୍ୟ ଚାଲାଣ ରୁଟ୍। ପଶ୍ଚିମବଙ୍ଗରୁ ଭୋଗରାଇ ପର୍ଯ୍ୟନ୍ତ କେଉଁ ରାସ୍ତା ଦେଇ ଓରାଙ୍ଗଉଟାନ୍‌ମାନଙ୍କୁ ଅଣାଯାଇଥିଲା, ସେନେଇ ଖୋଳତାଡ଼ ଚାଲିଛି। ରାସ୍ତାରେ ଥିବା ସମସ୍ତ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। ସନ୍ଦେହଜନକ ଗାଡ଼ି, ଯାତାୟାତର ଧାରା ଓ ଚାଲାଣ ସହ ଜଡ଼ିତ ବ୍ୟକ୍ତିଙ୍କ ବିଷୟରେ ସୂତ୍ର ଖୋଜାଯାଉଛି।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଏହି ଓରାଙ୍ଗଉଟାନ୍‌ମାନେ ଆସିଲେ କେଉଁଠୁ ଏବଂ ଯିବାର ଗନ୍ତବ୍ୟ କେଉଁଠି ଥିଲା? ଏହା ପଛରେ ଏକ ବଡ଼ ଚୋରାଚାଲାଣ ନେଟୱର୍କ ଥିବା ସନ୍ଦେହ କରାଯାଉଛି। RCCF ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି, ଘଟଣା ପଛରେ ନିହାତି ଅନ୍ତର୍ଜାତୀୟ ଲିଙ୍କ୍ ଥିବା ଆଶଙ୍କା ରହିଛି। କାରଣ ଓରାଙ୍ଗଉଟାନ୍ ଭାରତରେ ସ୍ୱାଭାବିକ ଭାବେ ମିଳୁଥିବା ପ୍ରାଣୀ ନୁହେଁ। ତେଣୁ ସ୍ଥାନୀୟ ଭାବେ ଏମାନଙ୍କୁ ଧରି ରଖିବା କିମ୍ବା ସଂଗ୍ରହ କରିବା ସମ୍ଭବ ନୁହେଁ।

ଭୌଗୋଳିକ ଦୃଷ୍ଟିରୁ ଉତ୍ତର-ପୂର୍ବ ଭାରତ ଓ ପୂର୍ବ ଭାରତ ଅଞ୍ଚଳର ଅବସ୍ଥିତିକୁ ମଧ୍ୟ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବେ ଦେଖାଯାଉଛି। ମିଆଁମାର ସୀମାକୁ ଲାଗିଥିବା ଉତ୍ତର-ପୂର୍ବ ଭାରତ ଏବଂ ତାହା ପରେ ପୂର୍ବ ଭାରତର ଭୌଗୋଳିକ ସଂଯୋଗ ଥିବାରୁ ଏହି ଅଞ୍ଚଳ ଦେଇ ବନ୍ୟଜନ୍ତୁ ଚାଲାଣ ହୋଇଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନାହିଁ।

ଏହି ଘଟଣାର ତଦନ୍ତରେ ଏବେ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ (WCCB) ମଧ୍ୟ ସାମିଲ ହୋଇଛି। WCCBର ଦୁଇଟି ଟିମ୍ ଭୋପାଳ ଓ କୋଲକାତାରୁ ଆସି ତଦନ୍ତରେ ସହଯୋଗ କରୁଛନ୍ତି।