ବାଲେଶ୍ୱର, ୧୧/୦୯: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ବିଚିତ୍ରପୁର ବନାଞ୍ଚଳରୁ ୫ଟି ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ନେଇ ତଦନ୍ତ ଜୋରଦାର ହୋଇଛି। ଭାରତର ସ୍ୱାଭାବିକ ବନ୍ୟପ୍ରାଣୀ ନୁହେଁ ଏହି ପ୍ରଜାତିର ୫ଟି ଛୁଆ ଓଡ଼ିଶାର ଜଙ୍ଗଲରେ କିପରି ପହଞ୍ଚିଲେ, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାରେ ଉଦବେଗ ପ୍ରକାଶ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣା ପରେ ବିଚିତ୍ରପୁର ବନାଞ୍ଚଳର ଉଦ୍ଧାରସ୍ଥଳକୁ ନେଇ କଟକଣା କଡ଼ା କରାଯାଇଛି। ଉଦ୍ଧାର ହୋଇଥିବା ସ୍ଥାନକୁ ସାଧାରଣ ଲୋକଙ୍କ ଯିବାଆସିବା ଉପରେ ରୋକ୍ ଲଗାଯାଇଥିବାବେଳେ ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯାଇଛି। ତଦନ୍ତରେ କୌଣସି ପ୍ରମାଣ ନଷ୍ଟ ନହେବା ଏବଂ ଘଟଣାସ୍ଥଳରେ ଭିଡ଼ ନହେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଏପଟେ ଏସଟିଏଫ ତଦନ୍ତ ଆରମ୍ଭ କରିଛି। ଏକ STF ଟିମ୍ ବାଲେଶ୍ୱରରେ ପହଞ୍ଚି ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରୁଛି। ଉଦ୍ଧାରସ୍ଥଳ ଆଖପାଖର ସିସିଟିଭି ଫୁଟେଜ୍, ମୋବାଇଲ୍ ଟାୱାର୍ ଡାଟା ଆଦି ଯାଞ୍ଚ କରାଯାଉଛି।
ଓରାଙ୍ଗଉଟାନ୍ ଇଣ୍ଡୋନେସିଆ ଓ ମାଲେସିଆ ଅଞ୍ଚଳର ମୂଳ ବାସିନ୍ଦା। ବାଲେଶ୍ୱର ଜଙ୍ଗଲରେ ଏମାନଙ୍କ ଉପସ୍ଥିତି ଅସ୍ୱାଭାବିକ ହୋଇଥିବାରୁ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ହୋଇଥିବା ସନ୍ଦେହ କରାଯାଉଛି। ଏହା ମଧ୍ୟରେ, ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ ଇଣ୍ଡୋନେସିଆ ଫେରିଯାଇପାରନ୍ତି। ଏନେଇ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି। ଓରାଙ୍ଗଉଟାନଙ୍କ ଶାରୀରିକ ଗଠନରୁ ସେମାନେ ସୁମାତ୍ରା ଦ୍ୱୀପରୁ ଆସିଥିବା ଅନୁମାନ କରାଯାଉଛି। ଡିଏନଏ ଟେଷ୍ଟ ପରେ ସେମାନଙ୍କ ଜେନେଟିକ୍ ଚିହ୍ନଟ ହେବ। ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ଏହାପରେ ପୁନର୍ବାସ ପ୍ରକ୍ରିୟା ଆରମ୍ଭ ହେବ।
ବର୍ତ୍ତମାନ ଏହି ପ୍ରାଣୀମାନଙ୍କୁ ବାଲେଶ୍ୱରରୁ ଉଦ୍ଧାର କରିବା ପରେ ଭୁବନେଶ୍ୱରସ୍ଥିତ ନନ୍ଦନକାନନକୁ ନିଆଯାଇ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଉଛି।